ନନ୍ଦିଘୋଷ ଟିଭିରେ ବାଜିଲା ଖବର, ବୃଦ୍ଧ ବାପାକୁ ଘରକୁ ନେଲେ ପୁଅ ବୋହୂ

ଯାଜପୁର: ଖବର ପ୍ରସାରଣ ପରେ ତରଳିଲା ସନ୍ତାନଙ୍କ ହୃଦୟ । ଶେଷରେ ଅସହାୟ ବୃଦ୍ଧ ବାପାଙ୍କୁ ଘରକୁ ଫେରାଇ ନେଲେ ପୁଅ ବୋହୂ । ଯାଜପୁର ଜିଲ୍ଲା କୋରାଇ ବ୍ଲକ ବଣିଆଗଡିଆ ଗ୍ରାମର ୭୫ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳଙ୍କୁ ତାଙ୍କ ପୁଅ ବୋହୂ ଘରୁ ତଡ଼ି ଦେଇଥିଲେ । ଦୀର୍ଘ ୫ ମାସ ହେଲା ସେ ସ୍କୁଲ ବାରଣ୍ଡାରେ ଭୋକ ଉପାସରେ ପଡି ରହିଥିଲେ । ଗତ ୯ ତାରିଖ ଦିନ ଏଭଳି ଏକ ସ୍ପର୍ଶକାତର ଘଟଣା ନନ୍ଦିଘୋଷ ଟିଭିରେ ପ୍ରସାରଣ ହୋଇଥିଲା ।

ଏହାପରେ ବିଭିନ୍ନ ସାମାଜିକ ସଂଗଠନ ପୂର୍ଣ୍ଣଚନ୍ଦ୍ରଙ୍କ ନିକଟରେ ପହଞ୍ଚିଥିଲେ । ଶେଷରେ ସ୍ଥାନୀୟ ବରିଷ୍ଠ ନାଗରିକ ମଞ୍ଚ ମଧ୍ୟସ୍ଥତାରେ ଏକ ସମାଧାନ ବୈଠକ ବସିଥିଲା । ଏଥିରେ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କ ସମେତ ବୃଦ୍ଧ ଓ ତାଙ୍କ ପୁଅ ବୋହୂ ଏବଂ ଗ୍ରାମବାସୀ ସାମିଲ ହୋଇଥିଲେ । ବୈଠକରେ ଆଲୋଚନା ପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ତାଙ୍କ ପୁଅ ବୋହୂ ଘରକୁ ଫେରାଇ ନେବାକୁ ରାଜି ହୋଇଥିଲେ । ପରେ ବାପାଙ୍କୁ ଫୁଲମାଳ ପିନ୍ଧାଇ ପୁଅ ବୋହୂ ଓ ନାତି ନାତୁଣୀ ଘରକୁ ପାଛୋଟି ନେଇଛନ୍ତି ।

Leave a Reply