ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ସୁନ୍ଦରଗଡ଼: ଗୁଣି ଗାରେଡ଼ି ସନ୍ଦେହ ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା, ଅଭିଯୁକ୍ତ ଗିରଫ । ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଖରିଆବାହାଳ ଗାଁରେ ଗତକାଲି ରାତିରେ ଘଟିଛି ଏହି ହତ୍ୟାକାଣ୍ଡ  । ଗୁଣି ଗାରେଡ଼ି ସନ୍ଦେହରୁ ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଅଭିଯୁକ୍ତ ଗାମୁଗାକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ । ଖରିଆବାହାଳ ଗାଁର ମଙ୍ଗଳ ମୁଣ୍ଡା ଗୁଣି ଗାରେଡ଼ି କରି ଗାମୁଗା ମୁଣ୍ଡାର ପରିବାରକୁ ହନ୍ତସନ୍ତ କରୁଥିବା ନେଇ ଗାମୁଗା ପୂର୍ବରୁ ଅନେକ ଥର ମଙ୍ଗଳ ସହ ଝଗଡା କରୁଥିଲା  ।

ଗତକାଲିର ଝଗଡ଼ା ଉଗ୍ର ରୂପ ନେବା ପରେ ଗାମୁଗା ମଙ୍ଗଳକୁ କଟୁରୀରେ ହାଣି ପକାଇଥିଲା । ଖବର ପାଇ କେ ବଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ଆଜି ଶବ ବ୍ୟବଚ୍ଛେଦ ଓ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ । ବାରମ୍ବାର ବଣାଇଁ ଅଞ୍ଚଳରେ ଗୁଣି ଗାରେଡ଼ି ଏବଂ ତନ୍ତ୍ରମନ୍ତ୍ର ପ୍ରତି ଏବେବି ଲୋକଙ୍କ ବିଶ୍ଵାସ ଏଭଳି ଘଟଣାର କାରଣ ବୋଲି ଅଭିହିତ କରି ସଚେତନତା ସୃଷ୍ଟି ପାଇଁ ପ୍ରଶାସନିକ ପଦକ୍ଷେପ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି  ।