ରାସ୍ତାରେ ଗଡ଼ିବନି ପୁରୁଣା ଗାଡ଼ି, ଖୁବ୍‌ଶୀଘ୍ର ଆସିପାରେ ନୂଆ ନିୟମ; ଲୋକଙ୍କ ମନରେ ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଦେଶରେ ଲାଗୁ ହେବ ନୂଆ ପରିବହନ ନୀତି । ରାସ୍ତାରେ ପୂରୁଣା ଗାଡ଼ି ଚାଲିବା ହେବ କଷ୍ଟକର । ପ୍ରଦୂଷଣକୁ ରୋକିବା ପାଇଁ ଲାଗୁ ହେବାକୁ ଯାଉଛି ସ୍ୱତନ୍ତ୍ର ଗ୍ରୀନ୍ ଟାକ୍ସ । ବାଣିଜ୍ୟିକ ଯାନର ୧୫ବର୍ଷ ଓ ଘରୋଇ ଯାନର ଅବଧି ହେବ ୨୦ବର୍ଷ । ନିକଟରେ ଉପସ୍ଥାପନ ହୋଇଥିବା କେନ୍ଦ୍ର ବଜେଟ୍‌ରେ ଏନେଇ ମିଳିଛି ସୁରାକ୍‌ । ଏହି ଆଇନ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନଥିବାରୁ ସାଧାରଣ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ପ୍ରଦୂଷଣକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା । ଏହାକୁ ରୋକିବା ପାଇଁ ଚାଲିଛି ଯୋଜନା । ପ୍ରଦୂଷଣ ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ପୂରୁଣା ଯାନବାହାନ ଚଳାଚଳ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ ଲାଗୁ କରିବା ପାଇଁ ଯାଉଛନ୍ତି ଗ୍ରୀନ୍ ଟାକ୍ସ ବ୍ୟବସ୍ଥା । ଯେକୌଣସି ଘରୋଇ ଗାଡ଼ିର ଅବଧି ୨୦ବର୍ଷ ଏବଂ ବାଣିଜ୍ୟିକ ଗାଡିର ଅବଧି ରହିବ ୧୫ବର୍ଷ । ଏହା ପରେ ଗାଡିର ନବୀକରଣ କରାଯିବା ପରିବର୍ତ୍ତେ ତାହାକୁ ସମ୍ପୂର୍ଣ୍ଣ ନଷ୍ଟ ଘୋଷଣା କରାଯିବ । ପ୍ରଦୂଷଣକୁ ରୋକିବା ପାଇଁ ଏଭଳି ପଦକ୍ଷେପକୁ ରାଜ୍ୟ ପରିବହନ ମନ୍ତ୍ରୀ ସ୍ୱାଗତ କରିବା ସହ ଏନେଇ କୌଣସି ସ୍ପଷ୍ଟ ସୂଚନା ଆସିନଥିବା କହିଛନ୍ତି ।

ଏହି ନୂତନ ପ୍ରସ୍ତାବିତ ଆଇନକୁ ନେଇ ଦ୍ୱନ୍ଦ୍ୱରେ ସାଧାରଣ ଲୋକେ । ଏନେଇ ଲୋକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ପ୍ରଦୂଷଣକୁ ରୋକିବା ପାଇଁ ଏଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି । ତେବେ ଗାଡି ନଷ୍ଟ ହେବା ପରେ ନୂତନ ଗାଡି କ୍ରୟ ପାଇଁ କିଛି ରିହାତି ବା ଋଣର ବ୍ୟବସ୍ଥା ହେବ କି ନାହିଁ ତାହା ସ୍ପଷ୍ଟ ହେବା ଦରକାର ବୋଲି କହିଛନ୍ତି ଲୋକେ । ସେପଟେ ନୂତନ ନିୟମ ଲାଗୁ ପୂର୍ବରୁ ସରକାର ଲୋକଙ୍କୁ ସ୍ପଷ୍ଟ ସୂଚନା ଦେବା ଆବଶ୍ୟକ ବୋଲି ମତ ଦେଇଛନ୍ତି ସଡକ ସୁରକ୍ଷା ବିଶେଷଜ୍ଞ ।

Leave a Reply