ଋଷ ମିଜାଇଲ ମାଡ଼ରେ ୟୁକ୍ରେନ ଅଭିନେତ୍ରୀଙ୍କ ମୃତ୍ୟୁ

1 min read

କିଭ୍: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଋଷ୍-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି । ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ ପାଇଁ ଋଷ ଉପରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଚାପ ପଡ଼ୁଛି । କିନ୍ତୁ ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବା ପରିବର୍ତ୍ତେ ଆକ୍ରମଣକୁ ଆହୁରି ଜୋରଦାର କରିଛି ମସ୍କୋ । ୨୪ ଫେବୃଆରୀରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ୟୁକ୍ରେନ ସେନା ସହ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ଋଷ ସୈନ୍ୟ । କିଭରେ ମିସାଇଲ ଆକ୍ରମଣର ଶିକାର ହୋଇଛନ୍ତି ୟୁକ୍ରେନ ୬୭ ବର୍ଷୀୟ ଥିଏଟର ଅଭିନେତ୍ରୀ ଓକସାନା ସଭେତ । ଋଷର ମିଜାଇଲ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଏହି ଅଭିନେତ୍ରୀ ଜଣକ । କିଭରେ ଥିବା ଏକ ଥିଏଟରରେ ଋଷର ମିଜାଇଲ ମାଡ଼ରେ ପ୍ରାଣ ହରାଇଛନ୍ତି ଓକସାନା । ଓକସାନାଙ୍କୁ ଯୁବ ଥିଏଟର କମ୍ୟୁନିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଓକସାନାଙ୍କୁ ଅଭିନୟ କ୍ଷେତ୍ରରେ ୟୁକ୍ରେନର ସବୁଠୁ ସମ୍ମାନଜନକ ପୁରସ୍କାର ଅନରଡ ଆର୍ଟିଷ୍ଟ ଅଫ୍ ୟୁକ୍ରେନ ଆଓ୍ବାର୍ଡରେ ସମ୍ମାନୀତ କରାଯାଇଥିଲା । ଇଭାନ ଫ୍ରାଙ୍କୋ ଓ କିଭ୍ ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଥିଏଟର ଆର୍ଟସରେ ଅଧ୍ୟୟନ କରିଥିଲେ ।

ଅନ୍ୟପକ୍ଷରେ ୟୁକ୍ରେନସ୍ଥିତିକୁ ନେଇ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ହେବ । ଏହା ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବରୁ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଯୁଦ୍ଧ ଅପରାଧୀ କହିଥିବା ବେଳେ ଏବେ ତାଙ୍କୁ ହତ୍ୟାକାରୀ, ଏକଛତ୍ରବାଦୀ ଶାସନ ଓ ଠକ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ । ସେପଟେ ଯୁଦ୍ଧ ବନ୍ଦ ନେଇ କୂଟନୈତିକସ୍ତରରେ ଆଲୋଚନା ଜାରି ରହିଛି ବୋଲି ଜାତିସଂଘରେ କହିଛି ଭାରତ । ଭାରତର ସ୍ଥାୟୀ ପ୍ରତିନିଧି ଟି. ଏସ ତିରୁମୂର୍ତ୍ତି କହିଛନ୍ତି ଯେ, ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପାଇଁ ଭାରତ ଗଭୀର ଚିନ୍ତିତ । ତୁରନ୍ତ ଏହାର ସମାଧାନ ଯେପରି ହୋଇପାରିବେ ସେଥିପାଇଁ କୂଟନୈତିକ ସ୍ତରରେ ଉଦ୍ୟମ ଜାରି ରହିଛି ।