ଭାରତ ଆସୁଥିବା କାର୍ଗୋ ଜାହାଜ ଉପରେ ହୁଥି ଆତଙ୍କବାଦୀଙ୍କ ଡ୍ରୋନ ଆକ୍ରମଣ

ନୂଆଦିଲ୍ଲୀ: ଭାରତ ଆସୁଥିବା କାର୍ଗୋ ଜାହାଜ ଉପରେ ଡ୍ରୋନ ଆକ୍ରମଣ । ଗୁଜରାଟ ଉପକୂଳରେ ଜାପାନର ଏହି ଜାହାଜ ଉପରକୁ ହୋଇଛି ଡ୍ରୋନ ଆକ୍ରମଣ । ଏଥିରେ ଜାହାଜରେ ନିଆଁ ଲାଗି ଯାଇଥିଲା । ନିଆଁକୁ ଲିଭାଯାଇଥିବା ଜଣାପଡିଛି । ବିସ୍ଫୋରଣରେ କେହି ମୃତାହତ ହୋଇନାହାନ୍ତି । ଜାହାଜରେ ଅନ୍ୟ ସଦସ୍ୟଙ୍କ ସହ ୨୦ ଜଣ ଭାରତୀୟ ନାବିକ ଥିଲେ । ଇରାନ ସମର୍ଥିତ ୟେମେନରେ ସକ୍ରିୟ ହୁଥି ଆତଙ୍କବାଦୀ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । ଆମେରିକା ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସହାୟତା ଲାଗି ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ଏକ ଜାହାଜ ମୁତୟନ କରାଯାଇଛି । ସମୁଦ୍ର ଅଞ୍ଚଳରେ ମୁତୟନ କୋଷ୍ଟଗାର୍ଡର ସମସ୍ତ ଜାହାଜକୁ ସହାୟତା ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋରବନ୍ଦରରୁ ୨୧୭ ନଟିକାଲ ମାଇଲ ଦୂରରେ ଥିବା ଜାହାଜ ଉପରେ ଆକ୍ରମଣ ହୋଇଥିଲା । ଅଶୋଧିତ ତୈଳ ନେଇ ଏହି ଜାହାଜ ସାଉଦି ଆରବ ବନ୍ଦରରୁ ବାହାରି ମାଙ୍ଗାଲୋର ଅଭିମୁଖେ ଆସୁଥିଲା।

ଗତ ସୋମବାର ଦିନ ମଧ୍ୟ ମାଲଟାରୁ ଆସୁଥିବା ଏକ ଜାହାଜ ଉପରକୁ ଆକ୍ରମଣ ହୋଇଥିଲା । ଏଥିରେ ଗୁରୁତର ନାବିକକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଭାରତୀୟ କୋଷ୍ଟ ଗାର୍ଡ କର୍ତ୍ତୃପକ୍ଷ । କିଛିଦିନର ବ୍ୟବଧାନ ପରେ ପୁଣି କାର୍ଗୋ ଜାହାଜକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ।