ଡବଲ ଇଞ୍ଜିନ ଦେଉଛି ଡବଲ ଇଞ୍ଜିନକୁ ଧୋକା: ଚୋରା ଡିଜେଲ କାରବାରର ଖୋଲୁଛି ଗୁମର
1 min read![Double Engine Govt](https://nandighoshatv.com/wp-content/uploads/2025/02/TALCHER-DIESEL-RACKET_PKG_JAJATI_070225_ING-1024x576.jpg)
ଭୁବନେଶ୍ବର: ଡବଲ ଇଞ୍ଜିନ ଦେଉଛି ଡବଲ ଇଞ୍ଜିନକୁ ଧୋକା । ଚୋରା ଡିଜେଲ କାରବାରର ଖୋଲୁଛି ଗୁମର । ବର୍ଷକୁ ୩୦୦ କୋଟିର ଟିକସ ଠକେଇ ଅଭିଯୋଗ । ବାହାର ରାଜ୍ୟର ମାଫିଆ ଓଡ଼ିଶାରେ ଚଳାଇଛନ୍ତି ରାଜୁତି । ଜଳକା ହୋଇ ଚାହିଁଛନ୍ତି ମୋହନ ସରକାର । ସବୁ ନୀତିନିୟମକୁ ଦଳି ମକଚି ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ଚୋରା ବେପାର । ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଇ ରାସ୍ତା କଡ଼ରେ ଚାଲିଛି ବେଆଇନ ବାୟୋ-ଡ଼ିଜେଲ କାରବାର । ତାଳଚେର-କଣିହାଁ ରାସ୍ତାରେ ଜିଲ୍ଲା ପ୍ରଶାସନର ଧରପଗଡ଼ ପରେ ଖୋଲିଲା କଳା କାରନାମାର କାହାଣୀ । ପେଟ୍ରୋଲ-ଡ଼ିଜେଲ ଜିଏସଟି ଅଧିନରେ ଆସୁନଥିବାରୁ ରାଜ୍ୟ ସରକାର ଏଥିରୁ ଭାଟ ଆଦାୟ କରୁଛନ୍ତି । ହେଲେ ଖୁଲମଖୁଲ୍ଲା ରାଜ୍ୟ ସୀମା ଡ଼େଇଁ ଆସୁଛି ଚୋରା ଡ଼ିଜେଲ, ଜାଣିପାରୁନି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ବାଣିଜ୍ୟକର ବିଭାଗ । ଟିକସ ଫାଙ୍କିବାକୁ ସ୍ବତନ୍ତ୍ର ଚକ୍ରବ୍ୟୁହ ପ୍ରସ୍ତୁତ ହୋଇଛି । ବାହାର ରାଜ୍ୟ, ବିଶେଷ କରି ଗୁଜୁରାଟ, ମଧ୍ୟପ୍ରଦେଶରୁ ମାଫିଆ ମାନେ ଜିଏସଟି ଅଧିନରେ ଆସୁଥିବା ‘ଫୁଏଲ ଅଏଲ’ ନାଁରେ ୭୫ଟଙ୍କା ଦରରେ ଆଣୁଛନ୍ତି ବାୟୋ-ଡ଼ିଜେଲ । ଓଡ଼ିଶା ସରକାରଙ୍କୁ କୌଣସି ଭାଟ ନଦେଇ ଶିଳ୍ପାଞ୍ଚଳରେ ଲାଗିଥିବା ଟ୍ରକଗୁଡ଼ିକୁ ବେଆଇନ ଭାବେ ରାସ୍ତା ଉପରେ ବିକି କରୁଛନ୍ତି । ଦିନକୁ ପ୍ରାୟ ୨୦ଲକ୍ଷ ଲିଟର ଡ଼ିଜେଲର ଚୋରା କାରବାର ହେଉଛି । ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛି ଡ଼ିଲର୍ସ ସଂଘ ।
କେମିତି ଚାଲିଛି ଚୋରା କାରବାର । ଆସନ୍ତୁ ଜାଣିବା । ଡ଼ିଜେଲ ଉପରେ ରାଜ୍ୟ ସରକାର ଲିଟର ପିଛା ୧୭ ଟଙ୍କା ୫୧ ପଇସା ପାଉଛନ୍ତି । କିନ୍ତୁ ବେଆଇନ, ଅନୈତିକ, ଚୋରା କାରବାର ଯୋଗୁଁ ଦିନକୁ କୋଟି କୋଟି ଟିକସ ବାବଦକୁ କ୍ଷତି ସହୁଛନ୍ତି ରାଜ୍ୟ ସରକାର । ତୈଳ କ୍ଷେତ୍ରରେ ଆମଦାନୀ କମାଇବା ପାଇଁ କେନ୍ଦ୍ର ସରକାର ବ୍ଲେଣ୍ଡେଡ଼ ଡ଼ିଜେଲ ବିକ୍ରିକୁ ସତ୍ତର୍ମୂଳକ ଅନୁମତି ଦେଇଛନ୍ତି ସତ, ହେଲେ ସିଧାସଳଖ ବାୟୋ-ଡ଼ିଜେଲ ଗାଡ଼ିରେ ପକାଇବା ଦଣ୍ଡନୀୟ ଅପରାଧ । ତାହା ପୁଣି ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଇ ରାସ୍ତା କଡ଼ରେ ଖୁଲମଖୁଲ୍ଲା ଡ଼ିଜେଲ କାରବାର ହତ୍ୟା ଅପରାଧ ସହ ସମାନ । ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଏତେବଡ଼ ରାକେଟ ଚାଲିଛି, ହେଲେ ଚୁପ୍ ବସିଛି ବାଣିଜ୍ୟକର ବିଭାଗ । ଯୋଗାଣ ମନ୍ତ୍ରୀଙ୍କୁ ଡ଼ିଲର୍ସ ସଂଘ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲେ ବି କାହା ଚାପରେ ନାଲିଫିତା ତଳେ ଅଭିଯୋଗକୁ ଚାପି ଦିଆଯାଉଛି, ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ସାଧାରଣ ଖାଉଟିଙ୍କ ପାଇଁ ଚଢା ଦର, ହେଲେ ମାଫିଆଙ୍କ ପାଇଁ ସାତ ଖୁନ ମାଫ୍ କାହିଁକି ? ଗୋଟିଏ ପଟେ ଘରୋଇ ତୈଳ ବିପଣନ କମ୍ପାନୀ ରିହାତି ଦରରେ ଡ଼ିଜେଲ ବିକ୍ରି କରୁଥିବା ବେଳେ ରାଷ୍ଟ୍ରାୟତ୍ତ କମ୍ପାନୀ ପଇସାଟିଏ ଛାଡୁନାହାନ୍ତି । ଯାହା ଫଳରେ ଦରଦାମ ବୃଦ୍ଧିର ଶିକାର ହେଉଛନ୍ତି ସାଧାରଣ ଲୋକେ । ଏପଟେ ବର୍ଷକୁ ପ୍ରାୟ ୩୦୦କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ରାଜ୍ୟ ସରକାର । ଏହି ଘଟଣା ସାମ୍ନାକୁ ଆସିବା ପରେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିବେ କି?