୧୫ ଦିନରେ ୧୧ଟଙ୍କା ବଢିଲାଣି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ତେଲ ଦରରେ ଲାଗୁନି ବ୍ରେକ  ।  ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର  । ଭୁବନେଶ୍ୱରରେ ଲିଟର ପିଛା ୮୫ ପଇସା ବୃଦ୍ଧି  ହୋଇଛି । ଏବେ ପେଟ୍ରୋଲ ଦର ୧୧୧ ଟଙ୍କା ୬୪ ପଇସା ଓ ଡିଜେଲ ଦର ୧୦୧ ଟଙ୍କା ୩୯ ପଇସାରେ ପହଞ୍ଚିଛି  ।  ତେଲ ଦର ବଢିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ହେଉଛି ଆକାଶଛୁଆଁ । ଗତ ୨୨ତାରିଖରୁ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦଲ ।

ଲଗାତର ୧୫ ଦିନରେ ୧୩ ଥର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୪.୬୧ ପଇସା ରହିଛି ।  ଡିଜେଲ ମଧ୍ୟ ୮୦ ପଇସା ବଢ଼ି ୯୫. ୮୭ ପଇସା ହୋଇଛି । ସେହିପରି ମୁମ୍ବାଇରେ ମଧ୍ୟ ଆଜି ପେଟ୍ରୋଲ ଲିଟର ପ୍ରତି ୮୪ ପଇସା ଓ ଡିଜେଲ ୮୫ ପଇସା ବୃଦ୍ଧି କରାଯାଇଛି ।

ଗତ ୨୨ରୁ ଏପର୍ଯ୍ୟନ୍ତ ପ୍ରାୟ ୧୧ ଟଙ୍କା ପାଖାପାଖି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ଗତ ୨୧ ତରିଖରେ ପେଟ୍ରୋଲ ଲିଟର ପିଛା ୧୦୧ଟଙ୍କା ୮୦ପଇସା ଓ ଡିଜେଲ ଦର ୯୧ ଟଙ୍କା ୬୨ ପଇସା ଥିଲା । ହେଲେ ଏବେ ପେଟ୍ରୋଲ ଦର ୧୧୧ ଟଙ୍କା ୬୪ ପଇସା ଓ ଡିଜେଲ ଦର ୧୦୧ ଟଙ୍କା ୩୯ ପଇସାରେ ପହଞ୍ଚିଛି  ।

ସେହିପରି ଗତକାଲି ମଧ୍ୟ ଦେଶରେ ତୈଳ ଦର ବୃଦ୍ଧି ପାଇଥିଲା । ଦେଶର ବିଭିନ୍ନ ସ୍ଥାନରେ ୪୦ରୁ ୮୪ ପଇସା ଯାଏଁ ତୈଳ ଦର ବୃଦ୍ଧି କରିଥିଲା ତୈଳ କମ୍ପାନୀ । ବାରମ୍ବାର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେବା କାରଣରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଗତକାଲି ମଧ୍ୟ ୪୦ ପଇସା ଲେଖାଏଁ ବୃଦ୍ଧି ହୋଇଥିଲା