ORHDC ଦୁର୍ନୀତି ମାମଲା; ପୂର୍ବତନ IAS ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦଣ୍ଡାଦେଶ

1 min read

ଭୁବନେଶ୍ୱର: ORHDC ଦୁର୍ନୀତି ମାମଲା । ସପ୍ତମ ଥର ପାଇଁ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ଆଇଏଏସ ବିନୋଦ କୁମାର । ବିନୋଦଙ୍କ ସହିତ ଅନ୍ୟ ୫ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ହୋଇଛି । ୩ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଲେଖାଏ ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ବିନୋଦ କୁମାରଙ୍କ ସହିତ କମ୍ପାନୀ ସଚିବ ସ୍ବସ୍ତିରଞ୍ଜନ ମହାପାତ୍ର, ରିକୋଭରି ଆସିଷ୍ଟାଣ୍ଟ ଉମେଶ ଚନ୍ଦ୍ର ସ୍ବାଇଁ ପରିଚାଳନା ସହଯୋଗୀ ରଶ୍ମୀ ପଟ୍ଟନାୟକ ଓ ରତନ କୁମାର ସାହୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ପୂର୍ବରୁ ୬ଥର ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବିନୋଦ କୁମାର । ଭୂମିକା ବିଲଡର ଲୋନ ଦୁର୍ନୀତି ମାମଲାରେ ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଦଣ୍ଡାଦେଶ ହୋଇଛି । ଭିଜିଲାନ୍ସର ସ୍ପେଶାଲ ଜଜ ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ORHDC ଓ ମେଟ୍ରୋ ବିଲଡର ମାମଲାରେ ଭିଜିଲାନ୍ସର ସ୍ପେଶାଲ ଜଜ ବିନୋଦଙ୍କ ସମେତ ୪ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇ ସାରିଛନ୍ତି ।

ଏହି ତାଲିକାରେ ବାରବାଟୀ ବିଧାୟକ ମହମ୍ମଦ ମୋକିମ, ନିଗମର ତତ୍କାଳୀନ କମ୍ପାନୀ ସେକ୍ରେଟାରୀ ସ୍ବସ୍ତି ରଞ୍ଜନ ମହାପାତ୍ର, ମେଟ୍ରୋ ବିଲଡରର ନିର୍ଦ୍ଦେଶକ ପୀୟୂଷଧାରୀ ମହାନ୍ତିଙ୍କୁ ଜରିମାନା ସହ ୩ ବର୍ଷ ଲେଖାଏଁ ସଜା ଶୁଣାଇଥିଲେ କୋର୍ଟ । ୨୦୦୦ରୁ ୨୦୦୧ ମସିହା ପର୍ଯ୍ୟନ୍ତ ORHDCର ପରିଚାଳନା ନିର୍ଦ୍ଦେଶକ ଥିଲେ ଆଇଏସ ବିନୋଦ କୁମାର । ମୁଖ୍ୟତଃ ବିନୋଦ କୁମାରଙ୍କ ସମୟରେ ସରକାରୀ ବାବୁ ଓ ବିଲଡରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟ ସରକାରଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡିଥିଲା ।