ବାରବାଟୀ ଦିନିକିଆ ପାଇଁ ୧୯ ଓ ୨୦ରେ ଅଫଲାଇନରେ ଟିକେଟ୍‌ ବିକ୍ରି

1 min read

କଟକ: ଆସନ୍ତା ୨୨ ତାରିଖରେ କଟକ ବାରବାଟୀରେ ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ ଦିବାରାତ୍ର ଦିନିକିଆ କ୍ରିକେଟ ମ୍ୟାଚ । ଏନେଇ ଆରମ୍ଭ ହୋଇଯାଇଛି ଟିକେଟ ବିକ୍ରୀ । ପୂର୍ବରୁ ଅନଳାଇନରେ ଟିକେଟ ବିକ୍ରି ସରିଥିବା ବେଳେ ଆସନ୍ତା ୧୯ ଓ ୨୦ରେ ଅଫଲାଇନ ଟିକେଟ୍‌ ବିକ୍ରି ହେବ । ଚଳିତ ବର୍ଷ ୩ଟି ବଦଳରେ ଷ୍ଟାଡିୟମରେ ରହିବ ୧୨ଟି କାଉଣ୍ଟର । ଟିକେଟ କିଣୁଥିବା ବ୍ୟକ୍ତିମାନେ ଜଣକା ଦୁଇଟି ଲେଖାଏଁ ଟିକେଟ କିଣି ପାରିବେ । ଟିକେଟ କିଣିବା ପାଇଁ ଯେକୌଣସି ପରିଚୟ ପତ୍ର ଦେବାକୁ ପଡ଼ିବ ।

ମୋଟ ୧୦ ହଜାର ୫୦ଟି ଟିକେଟ କାଉଣ୍ଟରରୁ ମିଳିବ । ଅନ୍ୟପଟେ ୧୯ତାରିଖ ଭୁବନେଶ୍ୱର ମେ-ଫେୟାର ହୋଟେଲରେ ପହଞ୍ଚିବେ ଉଭୟ ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ଦଳର ଖେଳାଳି । ୨୦ ଓ ୨୧ ତାରିଖରେ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଓ୍ୱେଷ୍ଟଇଣ୍ଡିଜ ଦଳ ବାରବାଟୀରେ ପ୍ରାକ୍ଟିସ କରିବେ । ପରେ ୨ଟା ରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭାରତୀୟ ଦଳ ଅଭ୍ୟାସ କରିବ ।

ଖେଳାଳି ମାନଙ୍କୁ ଭୁବନେଶ୍ୱରରୁ କଟକ ନେବାକୁ କମିସନରେଟ ପୋଲିସ ଦ୍ୱାରା ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ଷ୍ଟାଡିୟମ ପରିସରରେ ଖେଳକୁ ସୁରୁଖୁରୁରେ ପରିଚାଳନା କରିବାକୁ ଆଜି ଓସିଏ ପକ୍ଷରୁ ବିଭିନ୍ନ କମିଟି ଗଠନ କରାଯାଇଛି । ଦର୍ଶକଙ୍କ ଶାନ୍ତିଶୃଙ୍ଖଳା ସହିତ ଟିକେଟ ବିକ୍ରି ଯାଞ୍ଚ, ପଡ଼ିଆର ତଦାରଖ, ଖେଳ ସମୟରେ ବିଭିନ୍ନ ଦିଗ ପ୍ରତି ସ୍ୱତନ୍ତ୍ର ନଜର ରଖିବେ ଏହି କମିଟି । ଏ ନେଇ ଓସିଏ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

Leave a Reply