ସରକାରୀ ଲୋଗୋ ଲଗାଇବାରେ କଟକଣା, ବ୍ୟକ୍ତିଗତ କାରରେ ବ୍ୟବହାର କରିପାରିବେ ନାହିଁ ସରକାରୀ ଲୋଗା
ନୂଆଦିଲ୍ଲୀ: ସରକାରୀ ବାବୁମାନେ ନିଜ ବ୍ୟକ୍ତିଗତ କାରରେ ସରକାରୀ ଲୋଗା ବ୍ୟବହାର କରିପାରିବେ ନାହିଁ । ରାଜଧାନୀ ଦିଲ୍ଲୀରେ ମାଳ ମାଳ ଜିଓଆଇ ବା ଭାରତ ସରକାର ଷ୍ଟିକର ଗାଡ଼ି ଯୋଗୁଁ ଏପରି ପଦକ୍ଷେପ ନିଆଯାଇଛି । ସରକାରୀ ଗାଡ଼ି ଅପେକ୍ଷା ସରକାରୀ କର୍ମଚାରୀଙ୍କ ବ୍ୟକ୍ତିଗତ ଗାଡ଼ିରେ ଜିଓଆଇ ଷ୍ଟିକର ସମସ୍ତଙ୍କ ମୁଣ୍ଡବ୍ୟଥା ପାଲଟିଛି । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟର ଖର୍ଚ୍ଚ ବିଭାଗ ଭାରତ ସରକାରଙ୍କ କର୍ମଚାରୀ ନିଜ ବ୍ୟକ୍ତିଗତ ଗାଡ଼ିରେ ଭାରତ ସରକାର ଲୋଗୋ ନ ଲଗାଇବାକୁ ନିର୍ଦ୍ଦେଶନାମା ଜାରି କରିଛି । ଅର୍ଥ ମନ୍ତ୍ରାଳୟର ଏପରି ନିର୍ଦ୍ଦେଶନାମାକୁ ଠିକ୍ ଢଙ୍ଗରେ ପାଳନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଜ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି । କିଛି ବର୍ଷ ହେଲାଣି ଦେଖାଯାଉଛି, ନୂଆ ସରକାରୀ ଗାଡ଼ି କିଣା କମିଥିବା ବେଳେ ଭଡ଼ା ଗାଡ଼ି ସଂଖ୍ୟା ମାତ୍ରାଧିକ ଭାବେ ବଢିଚାଲିଛି । ଏପରିକି ସରକାରୀ କର୍ମଚାରୀମାନେ ଯିବା ଆସିବା କରୁଥିବା ଆଖପାଖ ପଡ଼ୋଶୀ, କ୍ୟାବ ଗାଡ଼ିରେ ବି ଭାରତ ସରକାରଙ୍କ ଲୋଗା ବ୍ୟବହାର କରୁଛନ୍ତି ।
କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ବା ଉପର ପାହ୍ୟାର ଅଧିକାରୀ ଷ୍ଟାଫ କାର ଚଢ଼ିବା ପାଇଁ ଯୋଗ୍ୟ ହୋଇଥିବା ବେଳେ ଏହା ତଳ ରାଙ୍କର ଅନେକ କର୍ମଚାରୀ ଓ ଅଧିକାରୀ ନିଜ ଇଚ୍ଛା ମୁତାବକ ଅଯଥା ସରକାରୀ ଗାଡ଼ି ବ୍ୟବହାର କରୁଛନ୍ତି । ଏସବୁ ଉପରେ ରୋକ୍ ଲଗାଇବାରେ ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶନାମା ଅଙ୍କୁଶ ଲଗାଇବ ବୋଲି ଆଶା ରହିଛି । ଏପଟେ ଏଣିକି ଆଉ ପେଟ୍ରୋଲ, ଡିଜେଲ ନୂଆ ଗାଡ଼ି ନ କିଣି ଇଲେକ୍ଟ୍ରିକ ଗାଡ଼ି କିଣିବାକୁ ସବୁ ମନ୍ତ୍ରାଳୟକୁ ନିର୍ଦ୍ଦେଶ ରହିଛି ।