ଟାଟା ଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଅଫିସର ଇଲେଭେନ୍‌ ଚାମ୍ପିୟନ

ଟାଟା ଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବ୍ୟୁରୋକ୍ରାଟ୍ସ ଏକାଦଶ ଚାମ୍ପିୟନ ହୋଇଛି। ଭୁବନେଶ୍ୱର ରେଲୱେ ଷ୍ଟାଡ଼ିୟମରେ ଏହି ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ଯେଉଁଥିରେ ୪ଟି ଟିମ୍‌ ମିଡିଆ ଇଲେଭେନ, ଲିଡର ଇଲେଭେନ, ବ୍ୟୁରୋକ୍ରାଟ୍ସ ଇଲେଭେନ ଓ ଟାଟା ଷ୍ଟିଲ୍‌ ଇଲେଭେନ ଅଂଶଗ୍ରହଣ କରିଥିଲେ।

ପ୍ରତିଯୋଗିତାର ରୋମାଞ୍ଚଭରା ଫାଇନାଲରେ ଟାଟାଷ୍ଟିଲକୁ ୧୬ ରନରେ ହରାଇ ବ୍ୟୁରୋକ୍ରାଟ୍ସ ଇଲେଭେନ ବିଜୟୀ ହୋଇଛି। ଫାଇନାଲ ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ ସହ ଦଳକୁ ଚାମ୍ପିୟନ କରାଇଥିବା ବ୍ୟୁରୋକ୍ରାଟ୍ସ ଇଲେଭେନର ପ୍ରମୁଖ ଖେଳାଳି ଅନିରୁଧ ସିଂହଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ କରାଯାଇଥିଲା।

ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ, ଲିଡର ଇଲେଭେନ ଓ ବ୍ୟୁରୋକ୍ରାଟ୍ସ ଇଲେଭେନ ମଧ୍ୟରେ ଖେଳାଯାଇଥିଲା। ଯେଉଁ ମ୍ୟାଚରେ ଲିଡର ଇଲେଭେନକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ବ୍ୟୁରକ୍ରାଟ୍ସ ଟିମ୍‌। ଅନ୍ୟପଟେ ଦ୍ୱିତୀୟ ସେମିଫାଇନାଲଟି ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏହି ମ୍ୟାଚରେ ଟାଟା ଷ୍ଟାଲ୍‌ ଠାରୁ ମାତ୍ର ୪ ରନରେ ହାରି ଟୁର୍ଣ୍ଣାମେଣ୍ଟରୁ ମିଡିଆ ଇଲେଭେନ ବିଦା ହୋଇଥିବା ବେଳେ ଟାଟା ଷ୍ଟିଲ୍‌ ଫାଇନାଲରେ ପ୍ରବେଶ କରିଥିଲା।

ଦୈନନ୍ଦିନ କାର୍ଯ୍ୟରୁ ବିରତି ନେଇ ଆଜି ସକାଳୁ ରେଲୱେ ଷ୍ଟାଡ଼ିୟମରେ ନେତା, ମନ୍ତ୍ରୀ, ଅଫିସର ଓ ସାମ୍ବାଦିକମାନେ ଏକଜୁଟ୍‌ ହୋଇଥିଲେ। ଯାହା ଉପସ୍ଥିତି ଦର୍ଶକଙ୍କୁ ମନରଂଜନର ଖୋରାକ ଯୋଗାଇଥିଲା। ପୋଲିସ, ନେତା ସାମ୍ବାଦିକ ଓ ଅଫିସରଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ନେଇ ଏଭଳି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଉଛି ବୋଲି ଟାଟା ଷ୍ଟିଲ ଜାମସେଦପୁର ଜୋନର ଭାଇସ ପ୍ରେସିଡେଣ୍ଟ ଚାଣକ୍ୟ ଚୌଧୁରୀ କହିଛନ୍ତି।

Leave a Reply