୮୭ ବର୍ଷ ପରେ ସାକାର ହେବ ଓଡ଼ିଆ ଚଳଚ୍ଚିତ୍ରର ସ୍ୱପ୍ନ, ପୁନଃଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ

1 min read

କଟକ: ଓଡ଼ିଆ ସଂସ୍କୃତି ସହ ଓଡ଼ିଆ ଫିଲ୍ମ ଅଙ୍ଗାଅଙ୍ଗୀ ଜଡ଼ିତ । ପୁରୁଣା ଚଳଚ୍ଚତ୍ରରେ ଲୁଚି ରହିଛି ଓଡ଼ିଶା ସଂସ୍କୃତିର ଚିତ୍ର । ଏହାର ପୁନଃ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ପ୍ରୟାସ । ସାକାର ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ରର ଦୀର୍ଘ ୮୭ ବର୍ଷ ପରେ ସ୍ୱପ୍ନ । ଉଦଘାଟିତ ହେବ ଓଡ଼ିଆ ଚଳଚ୍ଚିତ୍ରର ଅଭିଲେଖାଗାର ବା ଫିଲ୍ମ ଅର୍କଇଭସ । ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ OFDC ଅଧୀନ କଟକ ବକ୍ସିବଜାର ସ୍ଥିତ ଚଳଚ୍ଚିତ୍ର ଭବନ ପରିସରରେ ଏହାକୁ ପ୍ରତିଷ୍ଠା କରାଯିବ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ମୁଖ୍ୟାଳୟରେ ଥିବା ବୋର୍ଡ ରୁମକୁ ଏଭଳି ଏକ ଅଭିଲେଖାଗାରର ରୂପ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ଏଭଳି ପରିକଳ୍ପନାକୁ ରୂପ ଦେଇଛି OFDC । ଓଡ଼ିଆ ସିନେମାରେ ହଜିଯାଉଥିବା ଅତୀତକୁ ଫୁଣି ଖୋଜିବାର ଏହି ପ୍ରୟାସକୁ ସଭିଏଁ ସ୍ବାଗତ କରିଛନ୍ତି। ୧୯୩୬ ସୀତା ବିବାହ ଠାରୁ ଓଡ଼ିଆ ଚଳଚ୍ଚିତ୍ର ଜନ୍ମ । ଆଜି ଓଡ଼ିଆ ଚଳଚ୍ଚିତ୍ର ୮୭ ବର୍ଷରେ ପାଦ ଥାପିଛି ।

ସଂରକ୍ଷଣ ଅଭାବରୁ ଏହାରି ଭିତରେ ଅନେକ ପୁରୁଣା ଚଳଚ୍ଚିତ୍ର ହଜିଯିବାକୁ ବସିଲାଣି । ତେଣୁ ଦ୍ବିତୀୟ ଚଳଚିତ୍ର ଲଳିତା ସହ ରଘୁ ଅରକ୍ଷିତ, ଶ୍ରୀଲୋକନାଥ, ସୂର୍ଯ୍ୟମୁଖୀ , ସଂସାର, ରକ୍ତ ଗୋଲାପ ଭଳି କୋଡିଏ ଉର୍ଦ୍ଧ୍ବ ଚଳଚ୍ଚିତ୍ରକୁ ପ୍ରଥମ ପର୍ଯ୍ୟାୟରେ ସଂଗ୍ରହ କରାଯାଇଛି । ଏହାସହ ଜଡିତ ନଥି, ସିନେ ପତ୍ରିକା, ପୋଷ୍ଟର କିଛି ବିରଳ ଲେଖା, ପୁସ୍ତକ, କୃତିକୁ ଡିଜିଟାଇଜ କରାଯାଇଛି । ଏ ସବୁର ପଦର୍ଶନୀ ସହ ଜନ ସାଧାରଣ, ସିନେମା, ସଂସ୍କୃତି, ଐତିହ୍ୟପ୍ରେମୀ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।