ବିଜୁଳି ସଂକଟରୁ ଉପଭୋକ୍ତାଙ୍କୁ ଉଦ୍ଧାର କରିବା ପାଇଁ ଅଣ୍ଟା ଭିଡ଼ିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ବିଜୁଳି ସମସ୍ୟା ପ୍ରସଙ୍ଗ। ସମସ୍ତ ଅଭିଯୋଗ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ପହଞ୍ଚାଇବା ପାଇଁ ବଡ଼ ପଦକ୍ଷେପ ନେଇଛି ବିଦ୍ୟୁତ ଉପଭୋକ୍ତା ମହାସଂଘ। ବିଜୁଳି କାଟଠୁ ଆରମ୍ଭ କରି ସ୍ମାର୍ଟ ମିଟର, ଅଧିକ ବିଜୁଳି ଦର ଓ ଅନ୍ୟ ସମସ୍ୟାରେ ଉପଭୋକ୍ତା ଝଟପଟ ହେଉଥିବା ବେଳେ ସବୁ ସମସ୍ୟା ଆୟୋଗଙ୍କୁ ଜଣାଇବାକୁ ନୋଟିସ ହୋଇଛି। ଏଥିପାଇଁ ଏକ ଫର୍ମାଟ ଜାରି କରିଛି ମହାସଂଘ। ୧୨ଟି ପଏଣ୍ଟରେ ଏହି ଫର୍ମାଟ ଜରିଆରେ ଓଇଆରସିଙ୍କୁ ସମସ୍ୟା ଜଣାଇବାକୁ କୁହାଯାଇଛି। ଇମେଲ ଆଡ୍ରେସ ଦ୍ୱାରା ନିଜ ଅସୁବିଧା ସିଧାସଳଖ ଓଇଆରସି କିମ୍ବା ମହାସଂଘକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଏହି ଫର୍ମାଟକୁ ଲୋକଙ୍କ ପାଖରେ ପହଂଚାଯିବାକୁ ଯୋଜନା ହୋଇଛି। ଫର୍ମାଟକୁ ହ୍ବାଟସଆପ୍ ନମ୍ବରରେ ମଧ୍ୟ ଦିଆଯିବ। ପ୍ରତି ପଞ୍ଚାୟତ, ୱାର୍ଡରୁ ଅଭିଯୋଗ ସଂଗ୍ରହ କରି ଆୟୋଗଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି।…
ମହାସଂଘ ପକ୍ଷରୁ ଆୟୋଜିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇ ବିଜୁଳି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ରାଜନୈତିକ ଦଳ ବି ଲୋକଙ୍କ ଅଭିଯୋଗ ସଂଗ୍ରହ କରି ଆୟୋଗଙ୍କୁ ଦେବାକୁ ନିଷ୍ପତ୍ତି ହୋଇଛି। ସେପଟେ ସ୍ମାର୍ଟ ମିଟର ଲଗାଇବା ନୋଟିସକୁ ବିରୋଧ କରାଯାଇଛି। ସରକାରକୁ ଆସିବା ପୂର୍ବରୁ ବିଜେପି ଯେଉଁ ୩୦୦ ୟୁନିଟ ମାଗଣା ବିଜୁଳି ପ୍ରତିଶ୍ରୁତି ଦେଇଥିଲା ତାହା କୁଆଡେ ଗଲା ବୋଲି ଉଠିଛି ପ୍ରଶ୍ନ। ରାଜ୍ୟର ବିଜୁଳି ସମ୍ପର୍କିତ ସମସ୍ୟା ନେଇ ଆସନ୍ତା ୧୭ ପରେ ହେବ ରାଜ୍ୟସ୍ତରୀୟ କନଭେନ୍ସନ। ବିଜୁଳି ଲଢେଇରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ଫର୍ମାଟରେ ବିଦ୍ୟୁତ ବିଲ୍, ବିଜୁଳି କାଟ, ନୂତନ ବିଜୁଳି ସଂଯୋଗ, ସ୍ମାର୍ଟ ମିଟର, ଟ୍ରାନ୍ସଫର୍ମର କିମ୍ବା ଅଯଥା ବିଜୁଳି ଶୁଳ୍କ ଆଦି ପ୍ରସଙ୍ଗ ଦର୍ଶାଇ ପାରିବେ ଉପଭୋକ୍ତା।