ପୋଲାଭରମ ପ୍ରକଳ୍ପ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ, ଓଡ଼ିଶା ସରକାର ରାଜ୍ୟ ସ୍ବାର୍ଥ ଉଠାଇବାକୁ ଦାବି

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ବ୍ୟାପକ କ୍ଷତି କରିବାକୁ ଯାଉଥିବା ଆନ୍ଧ୍ର ପୋଲାଭରମ ପ୍ରକଳ୍ପର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ପୋଲାଭରମ ପ୍ରକଳ୍ପର ହାଇଲେବଲ ବୈଠକ କରିବେ । ଏହାପୂର୍ବରୁ ଓଡିଶା ସରକାର ଆଉ ଚୁପ ନ ରହି ରାଜ୍ୟର ସ୍ୱାର୍ଥ କଥା ଉଠାଇବାକୁ ଜୋରଦାର ଦାବି ହୋଇଛି ।
ପ୍ରକଳ୍ପ ଯୋଗୁଁ ଓଡ଼ିଶାର ବ୍ୟାପକ କ୍ଷତିଗ୍ରସ୍ତ ହେଉଥିଲେ ବି ରାଜ୍ୟ ବିଜେପି ସରକାର ମୁହଁ ଖୋଲୁ ନାହିଁ । ସେପଟେ ତେଲେଙ୍ଗାନା କିନ୍ତୁ ନିଜର କ୍ଷତି ବିରୋଧରେ ସ୍ୱର ଉଠାଇ ଚାଲିଛି । ତେଣୁ ଆସନ୍ତା ୨୮ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଆଗରେ ମୁହଁ ଖୋଲନ୍ତୁ ବୋଲି ଦାବି କରିଛି ଓଡ଼ିଆ ଅସ୍ମିତା ପରିଷଦ । ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଶପଥ ଗ୍ରହଣ ବେଳେ ସଂକଳ୍ପ ନେଇଥିବା ମୁଖ୍ୟମନ୍ତ୍ରୀ କିଭଳି ନିଜ ସଂକଳ୍ପ ରକ୍ଷା କରୁଛନ୍ତି ତାହା ଏବେ ଜଣାପଡିବ ବୋଲି କୁହାଯାଇଛି । ଏହା ରାଜ୍ୟ ବିଜେପି ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ ବୋଲି କୁହାଯାଇଛି ।
ସେପଟେ ପୋଲାଭରମ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ବେଳେ ରାଜ୍ୟ ବିଜେପିର ଅସଲ ଚେହେରା ପଦାକୁ ଆସିବ ବୋଲି କହିଛି ନାଗରିକ ସୁରକ୍ଷା ମଞ୍ଚ । ଆନ୍ଧ୍ର ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ବେଳେ ରାଜ୍ୟ ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀ କ’ଣ କଥା ରଖୁଛନ୍ତି ତା’ ଉପରେ ନଜର ରହିଛି । ଅନ୍ୟପଟେ କ୍ଷୟକ୍ଷତି ସମ୍ପର୍କରେ ନ ଜାଣି ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସରକାର କ’ଣ କହିବେ ବୋଲି ପ୍ରଶ୍ନ କରିଛି ଆମ ଜନତା ଅଧିକାର ।