ବଢୁଛି ନିଯୁକ୍ତି, ସର୍ବନିମ୍ନ ସ୍ତରରେ ଓଡିଶା ବେକାରୀ ସମସ୍ୟା

ଭୁବନେଶ୍ୱର: ଦେଶବ୍ୟାପୀ ନିଯୁକ୍ତି ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିବା ବେଳେ ବେକାରୀ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ପାଇଁ ଏକ ପ୍ରମୁଖ ଆହ୍ବାନ ପାଲଟିଛି । ଦେଶରେ ବେକାରୀ ସଂଖ୍ୟା କ୍ରମାଗତ ଭାବେ ଜନ ଅସନ୍ତୋଷକୁ ତୀବ୍ରତର କରିଛି । ଏଭଳି ସ୍ଥିତିରେ ଓଡିଶା ସରକାର ବେକାରୀ ନିୟନ୍ତ୍ରଣରେ କରିଛନ୍ତି ଭଲ ପ୍ରଦର୍ଶନ । ଯାହାକି ଅନ୍ୟ ରାଜ୍ଯ ପାଇଁ ସୃଷ୍ଟି କରିଛି ଉଦାହରଣ । ରାଜ୍ୟ ସରକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ, ନିଯୁକ୍ତି ପ୍ରଦାନକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିବା ବେଳେ, ଏହା କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ହୋଇଛି ।

ଗତ ମେ ମାସରେ ଓଡ଼ିଶାର ବେକାରୀ ସର୍ବନିମ୍ନ ହାର ଦେଶବ୍ୟାପୀ ଶ୍ରେଷ୍ଠ ୪ ରାଜ୍ୟ ମଧ୍ୟରେ ଥିବା ବେଳେ, କର୍ମନିଯୁକ୍ତି ପ୍ରଦାନରେ ଯେ ଓଡିଶା ମଡେଲ ସର୍ବଶ୍ରେଷ୍ଠ ତାହା ପ୍ରମାଣିତ ହୋଇଛି । ସେଣ୍ଟର  ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମିର ତଥ୍ୟ ଅନୁଯାୟୀ ମେ ମାସରେ ଦେଶରେ ବେକାରୀ ହାର ୭. ୧୨ ପ୍ରତିଶତ ଥିବାବେଳେ, ଓଡ଼ିଶାରେ ମାତ୍ର ତାହା ୨. ୬ ପ୍ରତିଶତ ରହିଛି । ଖାଲି ମେ ମାସ ନୁହେଁ, ଯଦି ଗତ ଜାନୁଆରୀ ମାସଠାରୁ ରିପୋର୍ଟକୁ ଅନୁଧ୍ୟାନ କରାଯାଏ, ତାହେଲେ ବେକାରୀ ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶା ଅନ୍ୟମାନଙ୍କ ତୁଳନାରେ ୟଥେଷ୍ଟ ଭଲ ପିରିସ୍ଥିତିରେ ଥିବା ସ୍ପଷ୍ଟ ହୋଇଛି । ରାଜ୍ୟରେ ଦକ୍ଷତା ବିକାଶ, ସମନ୍ବିତ କୃଷି ଓ ମିଶନ ଶକ୍ତି ସଫଳତା ଆଣିଛି ।