ରାଜସ୍ବ ସଂଗ୍ରହରେ ଓଡ଼ିଶାର ରେକର୍ଡ, ଫେବୃୟାରୀ ସୁଦ୍ଧା ସାମଗ୍ରିକ ଭାବେ ୨୩ ପ୍ରତିଶତ ବୃଦ୍ଧି

1 min read

ଭୁବନେଶ୍ବର: ବଢୁଛି ସରକାରଙ୍କ ରାଜସ୍ୱ । ଗତବର୍ଷ ଅପେକ୍ଷା ଏଥର ଫେବୃଆରୀ ମାସ ସୁଦ୍ଧା ସାମଗ୍ରିକ ଭାବେ ୨୩ ପ୍ରତିଶତ ବୃଦ୍ଧି ପାଇଛି ରାଜସ୍ବ । ଅନ୍ତର୍ଜାତୀୟ ସ୍ତରରେ ଖଣି କାରବାରରେ ମାନ୍ଦାବସ୍ଥା ସତ୍ତ୍ୱେ ଗତବର୍ଷ ଅପେକ୍ଷା ଖଣି ରାଜସ୍ବରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି ହୋଇଛି । ଜମିଜମା ରାଜସ୍ବରେ ସର୍ବାଧିକ ବୃଦ୍ଧି ଘଟିଛି । ଗତବର୍ଷ ଅପେକ୍ଷା ଏଥର ୭୨ ପ୍ରତିଶତ ବଢିଛି । ନିଜସ୍ୱ ଟିକସ ଓ ଅଣ ଟିକସ ଉତ୍ସରୁ ମଧ୍ୟ ରାଜସ୍ୱ ସଂଗ୍ରହ ବୃଦ୍ଧି ହେବା ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଛି । ରାଜସ୍ୱ ବଳକା ରାଜ୍ୟ ଭାବେ ପରିଚିତ ଓଡିଶା ଆର୍ଥିକ ପରିଚାଳନାରେ ମଧ୍ୟ ସାରା ଦେଶ ପାଇଁ ମଡେଲ ସାଜିଛି ।

ଗତବର୍ଷ ୭୮,୮୩୪.୪୮ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ଫେବୃଆରୀ ୨୦୨୪ ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର ୯୪,୦୦୩.୧୫ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ରାଜ୍ୟର ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହ ମଧ୍ୟ ୧୮.୬୬ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି । ଗତମାସ ଶେଷ ପର୍ଯ୍ୟନ୍ତ ମୋଟ ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହ ୪୭,୮୮୪.୩୬ କୋଟି ଟଙ୍କା ହୋଇଥିବାବେଳେ ଗତବର୍ଷ ୪୦,୩୫୫.୮୫ କୋଟି ଟଙ୍କା ସଂଗ୍ରହ କରିଛି । ଏପ୍ରିଲ୍ ୨୦୨୩ରୁ ଫେବୃଆରୀ ୨୦୨୪ ମଧ୍ୟରେ ରାଜ୍ୟରେ ଜିଏସଟି ଜମି ରାଜସ୍ୱ, ଯାନବାହନ ଟ୍ୟାକ୍ସ ଏବଂ ବିଦ୍ୟୁତ୍ ଶୁଳ୍କ ସଂଗ୍ରହରେ ବୃଦ୍ଧି ହେତୁ ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହରେ ଅଭିବୃଦ୍ଧି ଘଟିଛି ।

ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଜମି ରାଜସ୍ୱ ୭୨.୨୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ  ବିକ୍ରୟ କର ୨୦.୭୧ ପ୍ରତିଶତ ବୃଦ୍ଧି ପାଇଛି । ଖଣି ରାଜସ୍ୱ ବୃଦ୍ଧି ହେତୁ ରାଜ୍ୟର ଅଣ-ଟିକସ ରାଜସ୍ୱ ସଂଗ୍ରହରେ ୧୯. ୮୬ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ ହୋଇଛି । ଫେବୃଆରୀ ଶେଷ ପର୍ଯ୍ୟନ୍ତ ମୋଟ ଅଣ-ଟିକସ ରାଜସ୍ୱ ସଂଗ୍ରହ ୪୬,୧୧୮.୭୯ କୋଟି ଟଙ୍କା ଥିବାବେଳେ ଗତବର୍ଷ ଏହା ୩୮,୪୭୮.୬୨ କୋଟି ଟଙ୍କା ଥିଲା । ପ୍ରତିକୂଳ ବଜାର ସତ୍ତ୍ୱେ ଖଣି ରାଜସ୍ୱ ସଂଗ୍ରହରେ ୧୫.୨୫ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଗତବର୍ଷ ୩୩,୯୩୬.୬୬ କୋଟି ଟଙ୍କା ସଂଗ୍ରହ ତୁଳନାରେ ଚଳିତବର୍ଷ ଖଣିରୁ ରାଜ୍ୟ ୩୯,୧୧୧.୯୯ କୋଟି ଟଙ୍କା ସଂଗ୍ରହ ହୋଇଛି । ଫେବୃଆରୀ ୨୦୨୪ ଶେଷ ପର୍ଯ୍ୟନ୍ତ ସେୟାର ଟ୍ୟାକ୍ସ ହେଉଛି ୪୬,୭୯୩.୮୬ କୋଟି ଟଙ୍କା । ଯାହା ପୂର୍ବ ବର୍ଷର ସମାନ ଅବଧିରେ ୨୭.୮୯ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି । ଫେବୃଆରୀ ପର୍ଯ୍ୟନ୍ତ ସମସ୍ତ ଉତ୍ସରୁ ମୋଟ ରାଜସ୍ୱ ରସିଦ ୧ ଲକ୍ଷ ୫୯ ହଜାର ୮୨୧ କୋଟି ଥିବା ବେଳେ ଗତବର୍ଷ  ୧ ଲକ୍ଷ ୨୯ ହଜାର ୪୯୦ କୋଟି ଟଙ୍କା ଥିଲା, ଯାହା ୨୩. ୪୨ ପ୍ରତିଶତ ଅଧିକ ।