ଖଣି ରାଜସ୍ବ ସଂଗ୍ରହରେ ଓଡ଼ିଶାର ବମ୍ପର ରେକର୍ଡ

1 min read

ଭୁବନେଶ୍ବର: ଖଣି ରାଜସ୍ବ ସଂଗ୍ରହରେ ଓଡ଼ିଶା ସରକାରଙ୍କ ରେକର୍ଡ । ୨୦୨୧-୨୨ ଆର୍ଥିକ ବର୍ଷରେ ଖଣି ରାଜସ୍ବ ସଂଗ୍ରହ ଲକ୍ଷ୍ୟ ଥିଲା ୧୫ ହଜାର କୋଟି । ଆଦାୟ ହୋଇଛି ୩ ଗୁଣା ଅଧିକ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୪୯ ହଜାର ୬୦୦ କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଛି। ଯାହା ଓଡ଼ିଶା ଖଣି ଇତିହାସରେ ସର୍ବକାଳୀନ ରେକର୍ଡ । ଚଳିତ ଆର୍ଥିକ ବର୍ଷରେ ଏହି ରାଜସ୍ବ ସଂଗ୍ରହ ୭୫ ହଜାର କୋଟି ଛୁଇଁବ ବୋଲି ବିଜେଡି ଆକଳନ କରିଛି । ରାଜ୍ୟ ସରକାରଙ୍କ 5ଟି ସଂସ୍କାର ଯୋଗୁଁ ଦେଶରେ ଏକ ନମ୍ବର ରାଜ୍ୟ ହେବ ଓଡ଼ିଶା ।

ଏବେ ରାଜ୍ୟରେ ଚାଲୁ ରହିଛି ୨୩ଟି ଲୁହା ଓ ମାଙ୍ଗାନିଜ ଖଣି । ଏସବୁ ଖଣିର ପ୍ରିମିୟମ୍‌ ଓ ରୟାଲଟି ବାବଦରେ ସରକାରଙ୍କୁ ମିଳିଛି ଏହି ବମ୍ଫର୍‌ ସଫଳତା । ଆଉ ୧୨ଟି ଖଣି ନିଲାମ ପାଇଁ ପାଇପ୍‌ ଲାଇନ୍‌ରେ ରହିଛି । କୋଭିଡ ପରେ ଉତ୍ପାଦନ ବଢିବାରୁ ଅନ୍ତର୍ଜାତୀୟ ବଜାରରେ ଇସ୍ପାତର ଚାହିଦା ବୃଦ୍ଧି ପାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଗୋଟିଏ ମେଟ୍ରିକ୍‌ ଟନ୍‌ ଲୁହାପଥରର ବିକ୍ରି ମୂଲ୍ୟ ପ୍ରାୟ ୫ ହଜାର ଟଙ୍କା ରହିଛି । ସେଥିରୁ ୧୫ ପ୍ରତିଶତ ରୟାଲଟି ବାବଦରେ ସରକାର ଆଦାୟ କରୁଛନ୍ତି । ଚଳିତ ଆର୍ଥିକ ବର୍ଷରେ ସରକାର ୪୩ ହଜାର ୪୪୪ କୋଟି ଖଣି ରାଜସ୍ବ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଇସ୍ପାତ ଚାହିଦା ବଢିଲେ, ୨୦୨୨-୨୩ ଆର୍ଥିକ ବର୍ଷରେ ସରକାରଙ୍କୁ ଆହୁରି ଅଧିକ ରାଜସ୍ବ ମିଳିବ ।

୧୨ଟି ଖଣି ନିଲାମ ହେବାକୁ ବାକି ଥିବା ବେଳେ ସେଥିରୁ ୪ଟି ଖଣି ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଓଡ଼ିଶା ଲୁହାପଥର, କ୍ରୋମାଇଟ୍‌ ଭଳି ଖଣିଜ ସମ୍ପଦରେ ଭରପୂର । ଚାହିଦା ବଢ଼ିଲେ ଉତ୍ତୋଳନ ବି ସେହି ଅନୁପାତରେ ବଢ଼ିବ । କେନ୍ଦ୍ର ଓଡ଼ିଶାକୁ ଅବହେଳା କଲେ ବି ନିଜସ୍ବ ଆୟରେ ରାଜ୍ୟ ସରକାର ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିପାରିବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଖଣି ରାଜସ୍ବ ୭୫ ହଜାର କୋଟିରେ ପହଞ୍ଚିବ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଆକଳନ କରିଛନ୍ତି ।

ଖଣି ରାଜସ୍ବ ବୃଦ୍ଧି ଯୋଗୁଁ ଓଡ଼ିଶା ଆର୍ଥିକସ୍ତରରେ ସ୍ବାବଲମ୍ବୀ ହେଉଛି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଂସ୍କାର ବଡ଼ ଭୂମିକା ରହିଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨ଲକ୍ଷ କୋଟି ଟଙ୍କାର ବଜେଟ୍‌ ବ୍ୟୟ ବରାଦ କରିଛନ୍ତି । କେବଳ ଗୋଟିଏ ଅଣଟିକସ ରାଜସ୍ବ ସଂଗ୍ରହରେ ଓଡ଼ିଶା ସରକାରଙ୍କ ମୋଟ ବଜେଟ୍‌ ଆଉଟଲେଟ୍‌ର ସିଂହଭାଗ ଆସିବ । ଆଗାମୀ ଦିନରେ ଓଡ଼ିଶା ନମ୍ବର ଓ୍ବାନ୍‌ ରାଜ୍ୟ ଭାବେ ପରିଗଣିତ ହେବ ବୋଲି କହିଛନ୍ତି ଅର୍ଥନୀତି ସମୀକ୍ଷକ ।

କୋଭିଡ କଟକଣା ହଟିବା ପରେ ଅଟୋ ମୋବାଇଲଠାରୁ ଆରମ୍ଭ କରି ବିଭିନ୍ନ ଇସ୍ପାତ ଶିଳ୍ପ ଉତ୍ପାଦନ ଡବଲ୍‌ କରିଛନ୍ତି । ଏହାସହ ଋଷ-ୟୁକ୍ରେନ୍‌ ଯୁଦ୍ଧ ପାଇଁ ଆଗକୁ ଅନ୍ତର୍ଜାତୀୟ ବଜାରରେ ଇସ୍ପାତ ଚାହିଦା ବଢିବ । ଏହାର ସୁଫଳ ଓଡ଼ିଶା ସରକାର ପାଇବେ ।