ଓଡ଼ିଶାର ଏମଏସଏମଇ ଶିଳ୍ପକୁ ୪୭୯ କୋଟି ୮ ଲକ୍ଷ ଟଙ୍କାର ରିହାତି ପ୍ରଦାନ କରାଯାଇଛି
1 min readଭୁବନେଶ୍ବର: ଗତ ଚାରି ବର୍ଷରେ ଓଡିଶାରେ ୧୭ ଲକ୍ଷରୁ ଅଧିକ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପ ଉଦ୍ୟମ ପୋର୍ଟାଲରେ ପଞ୍ଜିକୃତ ହୋଇଛି । ଏହି ସବୁ ଏମଏସଏମଇ ଦ୍ବାରା ୮୧ ଲକ୍ଷ ୬୩ ହଜାର ୧୮ଜଣଙ୍କୁ ମିଳିଛି ନିଯୁକ୍ତି ସୁଯୋଗ । ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନରେ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଶୋଭା କରନ୍ଦଲାଜେ ଏହି ସୂଚନା ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ଓଡିଶାର କେତେ ଏମଏସଏମଇ ଶିଳ୍ପ ସହାୟତା ହୋଇଛନ୍ତି ଓ ରାଜ୍ୟର ଏମଏସଏମଇ ଶିଳ୍ପକୁ ଆର୍ଥିକ ଓ ବୈଷୟିକ ସହାୟତା ଦେବାକୁ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି ବୋଲି ମାନସ ମଙ୍ଗରାଜ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ୨୦୨୦ ଜୁଲାଇ ୭ ତାରିଖରେ ଉଦ୍ୟମ ପୋର୍ଟାଲ ଆରମ୍ଭ ହେବା ଦିନରୁ ଏବେ ପର୍ଯ୍ୟନ୍ତ ଓଡିଶାର ୧୭ ଲକ୍ଷ ୬୭ ହଜାର ୬୫୯ଟି ଏମଏସଏମଇ ଶିଳ୍ପ ପଞ୍ଜିକରଣ କରିଛନ୍ତି । ଏହିସବୁ ଶିଳ୍ପ ସଂସ୍ଥାରେ ୮୧ ଲକ୍ଷ ୬୩ ହଜାର ୧୮ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିଛି । ପ୍ରଧାନମନ୍ତ୍ରୀ ନିଯୁକ୍ତି ଯୋଜନାରେ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟର ୧୭ ହଜାର ୪୫ଟି ଏମଏସଏମଇ ଶିଳ୍ପକୁ ୪୭୯ କୋଟି ୮ ଲକ୍ଷ ଟଙ୍କାର ରିହାତି ପ୍ରଦାନ କରାଯାଇଛି । ଏହିସବୁ ଶିଳ୍ପ ସଂସ୍ଥାରେ ୧ ଲକ୍ଷ ୩୬ ହଜାର ୩୬୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି ।
ଏହି ଯୋଜନାରେ ଗ୍ରାମାଞ୍ଚଳରେ ଶିଳ୍ପ ପାଇଁ ୨୫ ପ୍ରତିଶତ ଓ ସହରାଞ୍ଚଳରେ ୧୫ ପ୍ରତିଶତ ରିହାତି ଦିଆଯାଉଛି । ସେହିଭଳି ଏମଏସଏମଇ ଶିଳ୍ପକୁ କ୍ରେଡିଟ ଗ୍ୟାରେଣ୍ଟି ଯୋଜନାରେ ଗତ ୫ ବର୍ଷରେ ୧ ଲକ୍ଷ ୭୦ ହଜାର ୭୧୬ଜଣଙ୍କୁ ୧୩ ହଜାର ୪୩୬ କୋଟି ଟଙ୍କାର କ୍ରେଡିଟ ଗ୍ୟାରେଣ୍ଟି ଦିଆଯାଇଛି । ଏଥିସହ ଗତ ୨୦୨୩ ସେପ୍ଟେମ୍ବର ୧୭ ତାରିଖରୁ ଚଳିତବର୍ଷ ଡିସେମ୍ବର ୪ ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାରେ ୯୦ ହଜାର ୬୯୩ କଳାକାର ପଞ୍ଜିକୃତ ହୋଇଛନ୍ତି । ଏମଏସଏମଇ ଗୁଡିକୁ ଆର୍ଥିକ ଓ ବୈଷୟିକ ସହାୟତା ବଢାଇବାକୁ କେନ୍ଦ୍ର ସରକାର ଏଭିତରେ ବିଭିନ୍ନ ଯୋଜନା ଆରମ୍ଭ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।