ଦୁଇ ଦଶନ୍ଧିରେ ତିନି ଗୁଣ ବଢିଛି ଓଡ଼ିଶାର ଦୁଗ୍ଧ ଉତ୍ପାଦନ

ଭୁବନେଶ୍ବର: ଚଳିତ ବର୍ଷଠାରୁ ଓଡ଼ିଶାରେ ପାଳନ ହେଉଛି ଜାତୀୟ ଦୁଗ୍ଧ ଦିବସ । ଶ୍ୱେତ ବିପ୍ଳବର ଜନକ ଡକ୍ଟର ଭରଗିଜ କୁରିଏନଙ୍କ ଜନ୍ମଦିନକୁ ଜାତୀୟ ଦୁଗ୍ଧ ଦିବସ ଭାବେ ପାଳନ କରାଯାଉଛି । ଓଡ଼ିଶାରେ ଗତ ଦୁଇ ଦଶନ୍ଧିରେ ତିନି ଗୁଣ ବଢିଛି ଦୁଗ୍ଧ ଉତ୍ପାଦନ । ରାଜ୍ୟରେ ଦୈନିକ ୬୬ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ହେଉଛି ।

ଦୁଗ୍ଧ ଉତ୍ପାଦନ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସହାୟତା ରାଶି ୫୦ ଲକ୍ଷରୁ ଏକ କୋଟି ଟଙ୍କା କରାଯାଇଛି । କ୍ଷୁଦ୍ର ଡେୟାରି ୟୁନିଟକୁ ଗୋଟେ ମଇଁଷି ଓ ଡେୟାରି କରିବାକୁ ଦୁଇଟି ମଇଁଷି ପାଳନ ପାଇଁ ୧ଲକ୍ଷ ୧୮ ହଜାର ଟଙ୍କା ସବସିଡି ବ୍ୟବସ୍ଥା କରାଯାଉଛି । ସବୁ ବ୍ଲକରେ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ୧୮୧ ନୂଆ ଆମ୍ବୁଲାନ୍ସ ବି ଯୋଗାଇ ଦେଇଛନ୍ତି । କୃମି ନାଶନ ପରି ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରାଣୀଙ୍କ ପାଇଁ ୧୮୧ ଭ୍ରାମ୍ୟମାଣ ଗାଡ଼ି ଯୋଗାଇ ଦିଆଯାଇଛି । କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଜାରି ରହିଛି । ଏହାଦ୍ୱାରା ୯୦ ପ୍ରତିଶତରୁ ଅଧିକ ମାଈ ବାଛୁରୀ ଜନ୍ମ ହେଉଥିବାରୁ ଗୋପାଳକ ଲାଭବାନ ହେଉଛନ୍ତି । ଏଥିପାଇଁ ୭୫ ପ୍ରତିଶତ ରିହାତି ଯୋଗାଉଛନ୍ତି ରାଜ୍ୟ ସରକାର ।

ସେହିପରି ଖଣିଖାଦନ ଜିଲ୍ଲାରେ ଶତ ପ୍ରତିଶତ ରିହାତି ଦିଆଯାଉଛି । ଘାସ ଚାଷ ଓ ଟିକାକରଣ କାର୍ଯ୍ୟକ୍ରମ ବି ପ୍ରାଥମିକତା ଭିତ୍ତିରେ ଚାଲିଛି । ଚଳିତବର୍ଷ ୫୯ ପଞ୍ଜିକୃତ ଗୋଶାଳା ସହାୟତା ପାଇଛନ୍ତି । ୫୦ରୁ ୧୫୦ ଗାଈ ଗୋରୁଙ୍କ ପାଇଁ ନୂତନ ଗୋଶାଳା କଲେ ୨୦ରୁ ୫୨ଲକ୍ଷ ଟଙ୍କା ଯାଏଁ ସହାୟତା ଦିଆଯିବ । କଟକର ଅରିଲୋଠାରେ ୨୬୨ କୋଟି ବ୍ୟୟରେ ଏକ ଅଲଟ୍ରା ମଡର୍ଣ୍ଣ ଡେୟାରି ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ଏହା ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ କରୁଛି । ଗୋପାଳକଙ୍କ ଦ୍ୱାରା ଉତ୍ପାଦିତ ଦୁଗ୍ଧକୁ ଓମଫେଡ୍ ଜରିଆରେ କ୍ରୟ କରି ଏଠାରେ ପ୍ରୋସେସିଂ କରାଯାଉଛି । ଓମଫେଡର ୩ ଶହରୁ ଅଧିକ ସମବାୟ ୟୁନିଟ ଜରିଆରେ ପାଖାପାଖି ୩ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି । ବେସରକାରୀ ସଂସ୍ଥା ବି ଦୁଗ୍ଧ ଉତ୍ପାଦନ ପାଇଁ ଆଗେଇ ଆସିବା ଭଲ ଖବର ବୋଲି ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ଜାତୀୟ ଦୁଗ୍ଧ ଦିବସ ଅବସରରେ ଲଞ୍ଚ ହୋଇଛି ଓମଫେଡ୍ ପ୍ଲସ ହୋମୋଜେନିସେଡ ଟୋଣ୍ଡ ମିଲ୍କ । ଏହା ପ୍ୟାକେଟକୁ ୭୦ ଟଙ୍କା ମୂଲ୍ୟରେ ବିକ୍ରି ହେବ । ଏହା ସିଧା ଫ୍ରିଜରରୁ ଆସିଥିବାରୁ ଘରେ ବିନା ଫ୍ରିଜରେ ମାସେ ପର୍ଯ୍ୟନ୍ତ ରହି ପାରିବ ।