ଗଞ୍ଜାମ ଜିଲ୍ଲାର ଆଉ ଏକ ମାଇଲଖୁଣ୍ଟ, ମନରେଗାରେ ସାରା ଦେଶରେ ଏକ ନମ୍ବର

ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗଞ୍ଜାମ ଜିଲ୍ଲା ସାରା ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଛି । ଜାନୁଆରୀ ୨୨ ସୁଦ୍ଧା, ଶ୍ରମ ଦିବସ ସୃଷ୍ଟି କରିବା ସହ ଗାଁ ଲୋକଙ୍କୁ ଶହେ ଦିନିଆ କାମ ଯୋଗାଇ ଦେବାରେ ଗଞ୍ଜାମ ଜିଲ୍ଲା ଏହି ସଫଳତା ପାଇଛି । ଜିଲ୍ଲାରେ ୬୩ ହଜାର ୪୪୯ ପରିବାରକୁ ଶହେ ଦିନିଆ କାମ ଯୋଗାଇ ଦିଆଯାଇଛି । ସେହିପରି ଜିଲ୍ଲାରେ ୨.୨୬ କୋଟି ଶ୍ରମ ଦିବସ ମଧ୍ୟ ସୃଷ୍ଟି କରାଯାଇଛି । ତେବେ ୩.୫୪ କୋଟି ଶ୍ରମ ଦିବସ ସୃଷ୍ଟି କରିବା ଜିଲ୍ଲାର ବାର୍ଷିକ ଟାର୍ଗେଟ ଥିଲା । ଶ୍ରମ ଦିବସ ସୃଷ୍ଟି କରିବାରେ ଗଞ୍ଜାମ ପଛକୁ ତାଲିକାରେ ରହିଛନ୍ତି ରାଜସ୍ଥାନର ବାରମରା ଓ ତାମିଲନାଡୁର ତିରୁଭନ୍ନାମଲାଇ । ବାରମରା ୨.୧୮ କୋଟି ଶ୍ରମ ଦିବସ ସୃଷ୍ଟି କରିଥିବାବେଳେ ତିରୁଭନ୍ନାମଲାଇ ୨.୧୩ କୋଟି ଶ୍ରମ ଦିବସ ସୃଷ୍ଟି କରିପାରିଛନ୍ତି ।

ସେହିପରି କନ୍ଧମାଳ ଜିଲ୍ଲା ୩୫ ହଜାର ୧୪୧ ଜଣ ପରିବାରକୁ ଶହେ ଦିନିଆ କାମ ଯୋଗାଇ ଦେଶରେ ଦ୍ବିତୀୟ ପୋଜିସନରେ ଥିବାବେଳେ ତା ପଛକୁ ରହିଛି ରାଜସ୍ଥାନର ବରାମରା । ବାରମରା ୩୪ ହଜାର ୯୯୪, ବଲାଙ୍ଗୀର ୨୬ ହଜାର ୨୦୯ ପରିବାରକୁ ଶହେ ଦିନର କାମ ଯୋଗାଇ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ଅକ୍ତିଆର କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ୫୮ ପ୍ରତିଶତ ମହିଳାଙ୍କ ଅଂଶଗ୍ରହଣ ପୂରା ରାଜ୍ୟରେ ଏକ ନମ୍ବର ପୋଜିସନ ହାସଲ କରିବାରେ ସାହାଯ୍ୟ କରିଛି । ଅର୍ଥାତ ଏମଜିମନରେଗାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ମହିଳାଙ୍କୁ କାମ ଯୋଗାଇ ଦିଆଯାଇଛି ।