ସ୍ୱାଭିମାନ ଅଞ୍ଚଳବାସୀଙ୍କ ମୁଁହରେ ହସ, ଗୁରୁପ୍ରିୟା ପରେ ଉଦଘାଟିତ ହେଲା ରାଜ୍ୟର ପ୍ରଥମ ‘ମାଣ୍ଡିଆ ମଣ୍ଡି’

1 min read

ଭୁବନେଶ୍ୱର : ଦିନେ ମାଇଲ୍ ମାଇଲ୍ ଚାଲୁଥିବା ମାଆକୁ ଆଜି ଘର ପାଖରେ ଦେବାକୁ ହେବ ମାଣ୍ଡିଆ । ଦିନେ କୋଷ କୋଷ ବାଟ କାନ୍ଧେଇ ନେଉଥିବା ରୋଗୀକୁ ଏବେ ମାତ୍ର କେଇ ମିନିଟ୍ ମଧ୍ୟରେ ଗୁରୁପ୍ରିୟା ଦେଇ ପହଞ୍ଚାଯାଉଛି ଡାକ୍ତରଖାନା । ଦିନେ ଅପହଞ୍ଚ ବିଚ୍ଛିନ୍ନାଞ୍ଚଳ ଥିବା ଇଲାକା ଏବେ କହୁଛି ସ୍ୱାଭିମାନ ଓ ବିକାଶର କଥା । ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସ୍ୱାଭିମାନୀ କାମ ।

ସ୍ୱାଭିମାନ ଅଞ୍ଚଳ କୁହାଯାଉଥିବା ଚିତ୍ରକୋଣ୍ଡା ବ୍ଲକର ବଡ଼ପଡ଼ା ପଞ୍ଚାୟତରେ ଉଦଘାଟିତ ହୋଇଛି ରାଜ୍ୟର ସର୍ବପ୍ରଥମ ମାଣ୍ଡିଆ ମଣ୍ଡି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅରୁଣ ସାହୁ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ କହିଥିଲେ ଯେ, ଓଡ଼ିଶା ମିଲେଟ୍ ମିଶନ୍ ମୁଖ୍ୟମନ୍ତ୍ରୀଙ୍କ ଭିଜନ୍ । ଏହା ମଧ୍ୟରେ ଅଞ୍ଚଳବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ, ଉତ୍ପାଦନ ବୃଦ୍ଧି, ନିଶ୍ଚିତ ଅମଳ ଓ ସଚେତନତା ସୃଷ୍ଟି ଉପରେ ସରକାର ଗୁରୁତ୍ୱ ଦେଉଛନ୍ଚି । ଅଞ୍ଚଳବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ସରକାରଙ୍କର ସମସ୍ତ ଯୋଜନା କିଭଳି ଲୋକମାନଙ୍କ ପାଖରେ ପହଞ୍ଚିବ ସେନେଇ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଣ୍ଡିଆ ମଣ୍ଡିର ଉଦଘାଟନ ପରେ ମନ୍ତ୍ରୀ ଶ୍ରୀ ସାହୁ ପାଖରେ ଥିବା ଗାଁ ଗୁଡ଼ିକର ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ହଳଦୀର ଚାଷ ସଂପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ । ଅଧିକ ପୁଷ୍ଟିଶସ୍ୟ ସାମଗ୍ରୀ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଇଥିଲେ କୃଷି ମନ୍ତ୍ରୀ ।

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳର ଚିତ୍ରକୋଣ୍ଡା ଜଳ ଭଣ୍ଡାରର ଅପର ପାର୍ଶ୍ଵରେ ଥିବା ୧୫୧ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକ ଉଦ୍ୟମ ଫଳରେ ନିର୍ମାଣ ହୋଇଥିଲା “ଗୁରୁପ୍ରିୟା ସେତୁ” । ଏଥିପାଇଁ ୧୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଘୋଷଣା ହୋଇଥିଲା ।

୨୦୧୭ରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୭ଟି ଜିଲ୍ଲାର ୩୦ଟି ବ୍ଲକରେ ଆରମ୍ଭ କରିଥିଲେ ମିଲେଟ୍ ମିଶନ୍ । ଏହାପରେ ମିଶନକୁ ୧୪ଟି ଜିଲ୍ଲାର ୭୨ଟି ବ୍ଲକକୁ ସଂପ୍ରସାରିତ କରାଯାଇଥିଲା । ତେବେ “ଓଡ଼ିଶା ମିଲେଟ ମିଶନ”ର ମୁଖ୍ୟ ଲକ୍ଷ ହେଉଛି ମିଲେଟର ଉତ୍ପାଦନ ଓ ପୋଷଣତାକୁ ରାଜ୍ୟର ଏହି ୭୨ଟି ବ୍ଲକରେ ପୁନରୁଦ୍ଧାର କରାଇବା । ଏହି ଯୋଜନାଟି ମାଲକାନଗିରି ଜିଲ୍ଲାର ମାଥିଲି , ଖାଇରପୁଟ , ଚିତ୍ରକୋଣ୍ଡା ଓ କୋରକୁଣ୍ଡା ବ୍ଲକରେ କାର୍ଯ୍ୟକାରୀ ହୋଇଛି । ଆଜି ମାଣ୍ଡିଆ ମଣ୍ଡି ଉଦଘାଟିତ ହେବା ପରେ ୨୦୦ ଚାଷୀଙ୍କ ଠାରୁ ୧୦୨ କ୍ୱିଣ୍ଟାଲ୍ ମାଣ୍ଡିଆ TDCCOL ଦ୍ୱାରା ସଂଗୃହୀତ ହୋଇଛି ।

Leave a Reply