ଚୀନ ଟାର୍ଗେଟରେ ଓଡ଼ିଶାର ଏପିଜେ ଅବଦୁଲ କଲାମ ଦ୍ବୀପ, ଶ୍ରୀଲଙ୍କା ଅଭିମୁଖେ ପଠାଇଲା ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ଓ୍ବାନ ଚାଇନା ପଲିସିରେ ଭାରତକୁ ଟାର୍ଗେଟ କରିପାରେ ଚୀନ । ଡ୍ରାଗନର ସ୍କାନରରେ ବି ରହିପାରେ ଓଡ଼ିଶାର ଏପିଜେ ଅବଦୁଲ କଲାମ ଦ୍ବୀପ । ତାଇଓ୍ବାନକୁ ଚୀନ ଟାର୍ଗେଟ କରିଥିବାବେଳେ ବାଲିଷ୍ଟିକ ମିସାଇଲ ଓ ସାଟେଲାଇଟକୁ ଟ୍ରାକ କରିପାରୁଥିବା ଏକ ଶକ୍ତିଶାଳୀ ଯୁଦ୍ଧଜାହାଜକୁ ଶ୍ରୀଲଙ୍କା ଅଭିମୁଖେ ପଠାଇଛି ଚୀନ । ୟୁଓ୍ବାନ ଓ୍ବାଙ୍ଗ ଶ୍ରେଣୀର ଏହି ଜାହାଜ ଆସନ୍ତା ୧୧ କିମ୍ବା ୧୨ରେ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି । ଏହାକୁ ନେଇ ସତର୍କ ହୋଇଛି ଭାରତ ।

ଯଦି ଭାରତ ମହାସାଗରରେ ଏହି ଜାହାଜ ମୁତୟନ ହୁଏ ତେବେ ଭାରତର କ୍ଷେପଣାସ୍ତ୍ର ଗତିବିଧି ଜାଣିବା ଚୀନ ପକ୍ଷେ ଅସମ୍ଭବ ହେବ ନାହିଁ । ଏପରିକି ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଏପିଜେ ଅବଦୁଲ କଲାମ ଦ୍ବୀପର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଚୀନ ଅବଗତ ହେବ । ଏହାସହ ଭାରତର ବାଲିଷ୍ଟିକ ମିସାଇଲ ଟେଷ୍ଟ ସମ୍ପର୍କରେ ମଧ୍ୟ ଚୀନ ସବିଶେଷ ତଥ୍ୟ ପାଇପାରିବ ।

ତେଣେ ଏହି ଜାହାଜକୁ ଆଶ୍ରୟ ଦେବାକୁ ଶ୍ରୀଲଙ୍କା ସରକାର ଗ୍ରୀନ ସିଗନାଲ ଦେଇଥିବା ସୂଚନା ମିଳିଛି । ଚୀନ ନ୍ୟାସନାଲ ସ୍ପେସ ଆଡମିନିଷ୍ଟ୍ରେସନ ଦ୍ବାରା ନିୟନ୍ତ୍ରିତ ହେଉଛି ଜାହାଜ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ହାମ୍ବନଟୋଟା ବନ୍ଦରକୁ ୯୯ ବର୍ଷିଆ ଲିଜରେ ଚୀନକୁ ଦେଇଛି ଶ୍ରୀଲଙ୍କା ।

ସେପଟେ ଓ୍ବାର ଫୁଟେଜରେ ରହିଛି ପିପୁଲସ ଲିବରେସନ ଆର୍ମି । ତାଇଓ୍ବାନର ସୀମାକୁ କରିଛି ଘେରାବନ୍ଦୀ । ତାଇଓ୍ବାନ ପ୍ରଣାଳୀକୁ ବି ଡ୍ରାଗନ କରିଛି କବଜା । ଦଶନ୍ଧିର ସର୍ବବୃହତ ମିଲିଟାରୀ ଡ୍ରିଲ ଜାରି ରଖିଛି ଚୀନ । ତାଇଓ୍ବାନ ଉପରକୁ ଚୀନ ୧୧ଟି ଡଙ୍ଗଫେଙ୍ଗ ମିସାଇଲ ମାଡ କରିଥିବାବେଳେ କେତେକ କ୍ଷେପଣାସ୍ତ୍ର ଜାପାନର ସୀମା ଛୁଇଁଥିବା ନେଇ ଅଭିଯୋଗ କରିଛି ଜାପାନ ।