ସାରା ରାଜ୍ୟରେ ବିଜେଡି ପାଳିବ ଓଡ଼ିଶା ଦିବସ

ଭୁବନେଶ୍ବର : ସାରା ରାଜ୍ୟରେ ବିଜେଡି ପାଳିବ ଓଡ଼ିଶା ଦିବସ । ଆସନ୍ତା ଏପ୍ରିଲ ୧ରେ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି ବିଜୁ ଜନତା ଦଳ । ଓଡ଼ିଶାର ଅନେକ ବରପୁତ୍ର ମାନଙ୍କ ସଂଘର୍ଷ, ତ୍ୟାଗ, ବଳିଦାନ ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଭାଷା ଭିତ୍ତିରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ଏହି ଦିନକୁ ଓଡ଼ିଶାବାସୀଙ୍କ ପାଇଁ ଚିରସ୍ମରଣୀୟ କରିବାକୁ ଓଡ଼ିଶା ଦିବସ ଭାବେ ପାଳିତ ହେଉଛି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ, ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ଓ ଜିଲ୍ଲା କାର୍ଯ୍ୟାଳୟରେ ବିଜେଡ଼ି ତରଫରୁ ଓଡ଼ିଶା ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ବରପୁତ୍ରମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ସେମାନଙ୍କ ଅବଦାନ ବିଷୟରେ ଆଲୋଚନା କରାଯିବ । ନିଜ ନିଜ ଅଞ୍ଚଳରେ ଓଡ଼ିଶା ଦିବସ କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ଶଙ୍ଖଭବନକୁ ପଠାଇବାକୁ ସମସ୍ତ ବିଧାୟକ, ସାଂସଦ, ନିର୍ବାଚନମଣ୍ଡଳୀ ନେତୃତ୍ବ, ଜିଲ୍ଲା ପରିଷଦ ସଭାପତି, ପୌରାଧ୍ୟକ୍ଷଙ୍କ ସହିତ ଯୁବ, ଛାତ୍ର, ମହିଳା, କୃଷକ, ଶ୍ରମିକ ସଙ୍ଗଠନର ଆବାହକମାନଙ୍କୁ ଚିଠି କରାଯାଇଛି ।