ଛୁଟୁଛି ସହାୟତା, ଫେରିବ ଅମ୍ରିତ

1 min read

ଭୁବନେଶ୍ୱର: ନିଶ୍ୱାସ ରଖିବା ପାଇଁ ଏଠି ବିଶ୍ୱାସ ବଢୁଛି । ବଞ୍ଚାଇବା ପାଇଁ ବାର୍ତ୍ତା ଛୁଟିଛି । ଅମ୍ରିତକୁ ଆଶା ଦେଖାଉଛି ଓଡ଼ିଶା । ନିର୍ଦୟ ମହାମାରୀରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅମ୍ରିତ ପ୍ରଧାନଙ୍କ ପାଇଁ ଛୁଟୁଛି ସହାୟତା । କେବଳ ସହାୟତା ନୁହେଁ ଓଡିଆ ପୁଅର ଅସମୟରେ ସାଥ ଦେଇଛି ସାରା ବିଶ୍ୱ । କିଏ ଭଗବାନଙ୍କ ପାଖେ ପ୍ରାର୍ଥନା କରୁଛି ତ, ଆଉ କିଏ ଦୀପ ଟିଏ ଜାଳି ଫେରିବା ବାଟକୁ ଚାହିଁ ରହିଛି । ଆମ ସୁନା ଭାଇ ଅମ୍ରିତ ଫେରିବ, ଖୁବ ଜଲଦି । କାଳିଆ ଆମ ସମସ୍ତଙ୍କ ଡାକ ଶୁଣିବ । ଏ ଭରସା, ବିଶ୍ୱାସ ରହିଛି ଆଉ ରହିଥିବ । ସୋସିଆଲ ମିଡିଆରେ ଏମିତି କିଛି ସୁସ୍ଥ କାମନା କରିଛନ୍ତି ଅସଂଖ୍ୟ ଶୁଭେଛୁ ।

ସମାଜ ପାଇଁ ଏହି ଘଟଣା ହୁଏତ ନୂଆ ହୋଇନପାରେ କିନ୍ତୁ ମାନବିକତାର ମୂଲ୍ୟବୋଧକୁ ସାଇତି ରଖିବାରେ ଏହା ଏକ ପ୍ରେରଣାଭର୍ତ୍ତି ଅଧ୍ୟାୟ । ଯେଉଁଠି ରକ୍ତର ସମ୍ପର୍କ ରକ୍ତକୁ ଅଲୋଡ଼ା କରୁଛି, ଯେଉଁଠି ସାଧାରଣ ସ୍ୱାର୍ଥ ପାଇଁ ଜରାଶ୍ରମରେ ମାଆ ରହୁଛି। ସେଠି ଏଭଳି ଅନ୍ତରର ସହାୟତା ପ୍ରେରଣା ନୁହେଁ ତ ଆଉ କଣ। ଗୋଟେ ମାଆର ଗେହ୍ଲା ପୁଅ, ଭଉଣୀର ସୁନା ଭାଇଙ୍କୁ ବଞ୍ଚାଇବାର ନିବେଦନ ଶୁଣିଥିବା ଲୋକଙ୍କୁ ଶୁଆଇଦେଇ ନଥିଲା । ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ ବାଧକ ସାଜିଥିବାବେଳେ ଛିଡା ହୋଇଛି ଏ ମାନବଜାତି । ଅସହାୟ ବାପା-ମାଆଙ୍କ ଆର୍ସା ବାଡି ସାଜିଛନ୍ତି କିଛି ସହୃଦୟ ବ୍ୟକ୍ତି । କେବଳ ୩୬ ଘଣ୍ଟା ଭିତରେ ଦେଶ ସମେତ ବିଦେଶରୁ ୮ ହଜାର ୫୨୪ ଜଣ ବ୍ୟକ୍ତି ସହାୟତା ପ୍ରଦାନ କରିଛନ୍ତି । ଅମ୍ରିତଙ୍କ ଚିକିତ୍ସା ପାଇଁ ସମୁଦାୟ ଦେଢ କୋଟି ଟଙ୍କାର ଆବଶ୍ୟକତା ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ସହାୟତା ମିଳିଲାଣି ୯୧ ଲକ୍ଷ ୨୬ ହଜାର ୮୫୭ ଟଙ୍କା ।

ମିଳିଥିବା ସୂଚନା ମୁତାବକ ଗତକାଲି ଅମ୍ରିତ ପ୍ରଧାନଙ୍କ ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯାଇଛି । ଏକ ପାଇପ ମାଧ୍ୟମରେ ଫୁସଫୁସ୍ କୁ ଅକ୍ସିଜେନ ସପ୍ଲାଇ କରାଯାଉଛି। ଡାକ୍ତର କହିଛନ୍ତି ଯେ ବର୍ତ୍ତମାନ ଅମ୍ରିତଙ୍କ ସ୍ବାସ୍ଥ୍ୟ ସ୍ଥିର ଥିଲେ ମଧ୍ୟ ସେ ଏବେ ବି ଗୁରୁତର ଅଛନ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ଏକମୋ ମେସିନ୍ ଉପରେ ନିର୍ଭରଶୀଳ ଅଛନ୍ତି । କୋଭିଡରେ ସଂକ୍ରମଣ ହେବା ପରେ ଅମ୍ରିତଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା । ଭୁବନେଶ୍ୱର ଏମସରେ ଚିକିତ୍ସା ଜାରି ରହିଥିବାବେଳେ ଉନ୍ନତ ଚିକିତ୍ସା ପାଇଁ ଚେନ୍ନାଇ ଆପୋଲୋ ହସ୍ପିଟାଲକୁ ନେବାର ଆବଶ୍ୟକତା ପଡିଥିଲା ।

କିନ୍ତୁ ଅମ୍ରିତଙ୍କ ଚିକିତ୍ସା ପାଇଁ ପ୍ରାୟ ଦେଢ଼ କୋଟି ଟଙ୍କା ଜରୁରୀ ଥିବା ବେଳେ ଏତେ ଅର୍ଥ ପାଇଁ ଅସହାୟ ପାଲଟିଥିଲେ ପରିବାର । ତେବେ ତାଙ୍କ ଭଉଣୀ ମନୀଷା ଏବଂ କିଛି ସାଙ୍ଗସାଥୀ ମିଶି ସହାୟତା କରିବାକୁ ଆଗେଇ ଆସିଥିଲେ। ସେମାନେ ମିଲାପ ଫଣ୍ଡ ରେଜର ସହାୟତାରେ ସାମାଜିକ ଗଣମାଧ୍ୟମରେ ସହାୟତା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ଆଉ ପରେ ଅମ୍ରିତଙ୍କ ଜୀବନ ବଞ୍ଚାଇବା ପାଇଁ ବାହାରି ଆସିଛି ଏ ମାନବ ଜାତି । ମହାମାରୀ କୋଭିଡର କଠୋର ନିୟତୀ ଭିତରେ ଏ ସମାଜ ଏକାଠି ହୋଇଛି । ଆଉ ଜଣେ ଅଚିହ୍ନା ଯୁବକର ଜୀବନ ପାଇଁ ଆଗେଇ ଆସିଛି ।

Leave a Reply