ମମିତା ମେହେରଙ୍କୁ ହତ୍ୟା ମାମଲା: ବଲାଙ୍ଗୀର ଓ କଳାହାଣ୍ଡି ଏସ୍ପିଙ୍କୁ ରିପୋର୍ଟ ତଲବ
1 min readଭୁବନେଶ୍ୱର: ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ କଳାହାଣ୍ଡି ଓ ବଲାଙ୍ଗୀର ଏସ୍ପିଙ୍କୁ ଏ ସମ୍ପର୍କରେ ରିପୋର୍ଟ ତଲବ ହୋଇଥିବା କହିଛନ୍ତି । ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ କରି ଉତ୍ତର ରଖିବାକୁ କୁହାଯାଇଛି । ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକସ୍ଥଳେ ମହିଳା କମିଶନ ପକ୍ଷରୁ ଏକ ଟିମ ଘଟଣାସ୍ଥଳ ପରିଦର୍ଶନ କରିବେ । ବିରୋଧୀ ଅଧର୍ଯ୍ୟ ନହୋଇ ପୋଲିସର ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଅପରପକ୍ଷରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଛି । ବଲାଙ୍ଗୀର ଏସ୍ପି ଅଫିସରୁ କଡ଼ା ସୁରକ୍ଷା ମଧ୍ୟରେ ଗୋବିନ୍ଦଙ୍କୁ ବଙ୍ଗୋମୁଣ୍ଡା JMFC କୋର୍ଟକୁ ଚାଲାଣ କରାଯାଇଛି । କୋର୍ଟରେ ହାଜର ପରେ ତିନି ଦିନିଆ ରିମାଣ୍ଡରେ ଆଣିବାକୁ ପୋଲିସ ଆବେଦନ କରିବ । ସେପଟେ ଅଟକ ଥିବା ଅନ୍ୟ ୪ଜଣକୁ ଏସପି ଅଫିସ୍ରେ ପଚରାଉଚୁରା ଚାଲିଛି । ମମିତାଙ୍କୁ ହତ୍ୟା କରି ଷ୍ଟାଡିୟମ୍ରେ ପୋତି ଦେଇଥିବା ଜେରା ବେଳେ ଗୋବିନ୍ଦ ସ୍ୱୀକାର କରିଛନ୍ତି । କାର ଭିତରେ ମମିତାଙ୍କୁ ହତ୍ୟା କରିଥିଲେ ଗୋବିନ୍ଦ । ଭବାନୀପାଟଣାରୁ ମାର୍କେଟିଂ ସାରି ମହାଲିଙ୍ଗ ସନସାଇନ ସ୍କୁଲକୁ ଯିବା ବାଟରେ କୁଦାସୀରା-ବୋଡ଼ା ରାସ୍ତାରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିଲେ । ହତ୍ୟା ପରେ ଗାତରେ ଶବକୁ ପୋଡ଼ା ଯିବା ପରେ ପୋତି ଦେଇଥିଲେ । ଏନେଇ ପୋଲିସ ଆଗରେ ଗୋବିନ୍ଦ ମାନିଥିବା ଜଣାପଡିଛି । ଗୋବିନ୍ଦଙ୍କ କାରରେ କଟା ଦାଗ ଥିବାରୁ ମମିତାଙ୍କୁ ମାରିବା ପାଇଁ ଛୁରୀ ବ୍ୟବହାର ହୋଇଥିବା ପୋଲିସ ସନ୍ଦେହ କରୁଛି । ଗତକାଲି ଅପରାହ୍ନରେ ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ିପଦରରୁ ଗୋବିନ୍ଦଙ୍କୁ ଗିରଫ କରିଥିଲା ପୋଲିସ ।
ବଲାଙ୍ଗୀର ଏସପି ଅଫିସରେ ରାତି ତମାମ ଜେରା କରିବା ପରେ ଆଜି ଭୋର ୫ଟାରେ ବଲାଙ୍ଗୀର ମେଡିକାଲରେ ଗୋବିନ୍ଦଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ କୋଭିଡ ଟେଷ୍ଟ କରାଯାଇଛି । ଗୋବିନ୍ଦଙ୍କ ସହ ସିନ୍ଧେକେଲା ଥାନାରେ ଅଟକ ଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ, କଲେଜର ରାତ୍ରି ଜଗୁଆଳି ଗୁପ୍ତେ ତାଣ୍ଡି ଓ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କୁ ମୁହାଁମୁହିଁ ଜେରା କରିଛି ବଲାଙ୍ଗୀର ପୋଲିସ । ଅନ୍ୟପଟେ ଘଟଣା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ମହାଲିଙ୍ଗ କଲେଜର କିଛି ଛାତ୍ରଛାତ୍ରୀ । କଲେଜରେ ଅସାମାଜିକ କାର୍ଯ୍ୟ ଚାଲିଥିଲା ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । କଲେଜରେ ବେଆଇନ କାର୍ଯ୍ୟ ଚାଲୁଥିବା ବେଳେ, ହଷ୍ଟେଲରେ ଛାତ୍ରମାନଙ୍କୁ ନିସ୍ତୁକ ମାଡ ମରାଯାଉଥିବା ଅଭିଯୋଗ ହୋଇଛି । ତେଣୁ ମହାଲିଙ୍ଗ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।