କମୁଛି ତାପମାତ୍ରା ଥରୁଛି ଓଡିଶା, ୩ ରୁ ୫ ଡିଗ୍ରୀ ଖସିଛି ପାରଦ

ଭୁବନେଶ୍ବର: ଥରୁଛି ଓଡ଼ିଶା । ସକାଳୁ ସକାଳୁ ସବୁଠି ଘନ କୁହୁଡ଼ି ଆସ୍ତରଣ । ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରବାହ ହ୍ରାସ ଫଳରେ କମିଛି ତାପମାତ୍ରା । ମେଘମୁକ୍ତ ଆକାଶ ଏବଂ ଥଣ୍ଡା ପବନ ପ୍ରବାହ ପାଇଁ ଶୀତ ବଢିଛି । ସାରା ରାଜ୍ୟରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଯାଏ ପାରଦ କମିଛି । ଫଳରେ ଅଧିକ ଶୀତ ଅନୁଭୂତ ହେଉଛି ।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ହ୍ରାସ ପାଇବ । ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ । କୋରାପୁଟ, କନ୍ଧମାଳ ଓ ସୁନ୍ଦରଗଡରେ ଅଧିକ ଶୀତ ପଡ଼ିବ । ଏହା ସହିତ ଘନ କୁହୁଡ଼ି ପଡ଼ିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଉତ୍ତର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି । ଏହା ଆଜି ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ମାତ୍ର ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ।