ରାଜ୍ୟକୁ ଫେରିଲା ଶୀତ ; କୁହୁଡି ପାଇଁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି
ଭୁବନେଶ୍ୱର : ରାଜ୍ୟକୁ ଫେରିଲା ଶୀତ। ସ୍ବାଭାବିକ ହେଲା ତାପମାତ୍ରା । ଅଧିକାଂଶ ସହରର ତାପମାତ୍ରା ସ୍ବାଭାବିକ ହୋଇଛି । ଆସନ୍ତା ଦୁଇ ରୁ ତିନିଦିନ ମଧ୍ୟରେ ଦିନର ତାପମାତ୍ରା ଦୁଇ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ଜାଡ ସହ ଘନ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି। ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୫ ଦିନ ଯାଏଁ ପାଗ ମୁଖ୍ୟତ ଶୁଖିଲା ରହିବ। ଆଗାମୀ ୪ ରୁ ୫ ଦିନ ଯାଏ ସର୍ବନିମ୍ନ ତାପମାତ୍ରା ରେ ପରିବର୍ତ୍ତନ ର କୌଣସି ସମ୍ଭାବନା ନାହିଁ ।
ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଥିବା ବେଳେ ରାତି ତାପମାତ୍ରା ରେ କୌଣସି ପରିବର୍ତ୍ତନ ଦେଖା ଯିବ ନାହିଁ ବୋଲି ବିଭାଗ ଆକଳନ କରିଛି। ତେଣୁ ରାଜ୍ୟରେ ସ୍ୱାଭାବିକ ରହିବ ଶୀତର ପ୍ରକୋପ। ଆସନ୍ତା ୨୪ ଘଣ୍ଟାରେ ପାଗ ଶୁଖିଲା ରହିବା ସହ ଝାରସୁଗୁଡା, ଗଞାମ, କୋରାପୁଟ, କଳାହାଣ୍ଡି, କନ୍ଧମାଳ , ସୁନ୍ଦରଗଡ ଓ ସମ୍ବଲପୁର ରେ ହାଲୁକରୁ ମାଧ୍ୟମ ଧରଣର କୁହୁଡି ଅନୁଭୂତ ହେବ। କେବଳ ସୁନ୍ଦରଗଡରେ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଛି । ସେପଟେ ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ରାଉରକେଲା ରେ ୧୦.୨ ଡ଼ିଗ୍ରୀ ରେକର୍ଡ ହୋଇଛି । ବିଭିନ୍ନ ସ୍ଥାନରେ ଯେପରିକି ରାଉରକେଲା ଭବାନୀପାଟଣା, କୋରାପୁଟ, ଫୁଲବାଣୀ, ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ପାହାଡିଆ ଅଂଚଳର ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱରରେ ୧୫.୦ ଓ କଟକରେ ୧୩.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।