ଜାନୁଆରୀ ମାସରେ ସ୍ଵାଭାବିକ ଶୀତ ଅପେକ୍ଷା ଅଧିକ ରହିବ ପଶ୍ଚିମାଝଡ଼ର ପ୍ରଭାବ

ନନ୍ଦିଘୋଷ ବ୍ୟୁରୋ: ଜାନୁଆରୀରେ ଶୀତ କମ୍ ବର୍ଷା ଅଧିକ । ଦୀର୍ଘମିଆଦି ଆକଳନରେ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଜାନୁଆରୀ ମାସରେ ସ୍ଵାଭାବିକ ଶୀତ ଅପେକ୍ଷା ପଶ୍ଚିମାଝଡ଼ର ପ୍ରଭାବ ଅଧିକ ରହିବ। ଶୀତ କମ୍ ରହିବ, କୋହଲା ପାଗ ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି । ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ଅନୁଭବ ହେବ ପ୍ରବଳ ଶୀତ । ଗତ ତିନି ଦିନ ମଧ୍ୟରେ ୭ ଡିଗ୍ରୀରୁ ଅଧିକ ତାପମାତ୍ରା ହ୍ରାସ ପାଇଛି । ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ରହିବା ସହ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ।

କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର ସମେତ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ଜାଡ଼ ଅନୁଭୂତ ହେବ। ୪ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେବ। କନ୍ଧମାଳ ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ କେନ୍ଦୁଝର, ମୟୁରଭଞ୍ଜ,ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଳାହାଣ୍ଡି ଓ ନୟାଗଡ଼ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ। ଜାନୁଆରୀରେ ଶୀତର ପ୍ରକୋପ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ଗତ ୨ଦିନ ମଧ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇଥିବା ବେଳେ ପ୍ରବଳ ଶୀତ ଅନୁଭବ ହୋଇଛି।