ଅପରାଧିକ ଘଟଣାର ରାଜନୀତିକରଣ କରୁଛି ବିଜେପି, ନ୍ୟାୟପାଳିକା ଉପରେ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟଜନକ

ଭୁବନେଶ୍ୱର: ଅପରାଧିକ ଘଟଣାର ରାଜନୀତିକରଣ କରୁଛି ବିଜେପି । ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମତ ଅତ୍ୟନ୍ତ ହାସ୍ୟାସ୍ପଦ । କେନ୍ଦ୍ରମନ୍ତ୍ରୀ ହୋଇ ଏଭଳି ବୟାନ ରଖିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ବିଜେପି ଶାସିତ ରାଜ୍ୟରେ ଅନେକ ଦୁର୍ଭାଗ୍ୟଜନକ ଘଟଣା ଘଟୁଛି । ପୋଲ ଭାଙ୍ଗିବା ସହିତ, ଅନେକ ସ୍ଥାନରେ ମଦମୃତ୍ୟୁ ହେଉଛି । ଏହାଛଡ଼ା ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧ ବୃଦ୍ଧି ପାଇବାରେ ଲାଗିଛି  । ଏହି ଘଟଣାରେ ଦିନେ ମାତ୍ର ମୁହଁ ଖୋଲୁନଥିବା କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ହତ୍ୟା ମାମଲାରେ ରାଜନୀତି କରୁଛନ୍ତି ।

ନବ କିଶୋର ଦାସଙ୍କ ହତ୍ୟା ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତଦନ୍ତରେ ସର୍ବୋଚ୍ଚ ସ୍ବଚ୍ଛତା ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ ରାଜ୍ୟ ସରକାର । ଉଚ୍ଚ ନ୍ୟାୟାଳୟଙ୍କର ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତର ତଦାରଖ କରୁଛନ୍ତି  । ଏସବୁ ପରେ ବି ନ୍ୟାୟପାଳିକା ଉପରେ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟଜନକ । ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତାଙ୍କ ନାଁରେ ୧୪ଟି ଅପରାଧିକ ମାମଲା ରହିଛି  । ଜୟନାରାୟଣ ମିଶ୍ର ହତ୍ୟା ମାମଲାରେ ଜେଲ୍ ଯାଇ ଜାମିନରେ ଆସିଛନ୍ତି । ଏହା ପରେ ବି  ତାଙ୍କୁ ବିରୋଧୀ ଦଳ ନେତା କରିଛି ବିଜେପି । ଏଭଳି କରି ଦଳ ଓଡ଼ିଶା ସରକାରଙ୍କୁ ପ୍ରଶ୍ନ କରିବାର ନୈତିକତା ହରାଇଛି ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ଆଗୁଆ ଜାମିନରେ ରହିଛନ୍ତି । ନିଜ ଦଳରେ ଅପରାଧିକ ବ୍ୟକ୍ତିଙ୍କୁ ସ୍ଥାନ ଦେଇଥିବା ବିଜେପି ଅପରାଧିକ ଘଟଣାର ରାଜନୀତିକରଣ କରୁଛି  । ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କରି ଫାଇଦା ନେବାକୁ ଉଦ୍ୟମ କରୁଛି ବିଜେପି । ଯାହାକୁ ଓଡ଼ିଶାବାସୀ ଗ୍ରହଣ କରୁନାହନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଏହାର ଜବାବ ମିଳିସାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନକୁ ଭରସା କରିଛନ୍ତି ରାଜ୍ୟବାସୀ ।

ଅନ୍ୟପକ୍ଷରେ କେନ୍ଦ୍ରୀୟ ବଜେଟରେ ଚାଷୀ ଓ ଗରିବ ବିରୋଧୀ ନିଷ୍ପତ୍ତି ନିଆଯାଇଛି । ଧାନ ସଂଗ୍ରହ ପାଇଁ ୨୦ ହଜାର କୋଟି ଟଙ୍କା କାଟିଛନ୍ତି କେନ୍ଦ୍ର ସରକାର । ମାତ୍ର ଚାଷୀଙ୍କ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ମୁହଁ ଖୋଲୁନାହାନ୍ତି  । ୫ କେଜି ଚାଉଳ କାଟ ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖୁନାହାନ୍ତି । ଓଡ଼ିଶାରେ କୋଷ୍ଟାଲ ହାଇଓ୍ବେ ନିର୍ମାଣ ଫାଇଲରେ ପଡ଼ି ରହିଛି । ୯ ବର୍ଷରେ ଓଡ଼ିଶାରୁ ୨ ଲକ୍ଷ କୋଟି ଟଙ୍କା କେନ୍ଦ୍ର ନେଇଥିବାବେଳେ ମାତ୍ର ୨୦୦ ଲୋକଙ୍କ ପାଇଁ ଟ୍ରେନ ବ୍ୟବସ୍ଥା କରାଯାଇଛି  । ମାତ୍ର ରାଜ୍ୟର ସ୍ବାର୍ଥ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କେବେ ବି ମୁହଁ ଖୋଲିନାହାନ୍ତି  । ନିର୍ବାଚନ ପାଇଁ କାମ ନକରି ରାଜ୍ୟ ପାଇଁ କାମ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ।