spot_img

Latest Posts

ଓଡ଼ିଶା ଶିଳ୍ପାୟନରେ ଯୋଡ଼ି ହେଉଛି ନୂଆ ଫର୍ଦ୍ଦ, ମ୍ୟାନୁଫ୍ୟାକଚରିଂର ହବ୍‌ ହେବ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନର ନୂଆ ଅଧ୍ୟାୟ। ୧୪ଟି ଶିଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪୩୬ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୩ ଶିଳ୍ପର ଉଦଘାଟନ କରିଛନ୍ତି। ସେହିପରି ୧୧ଶହ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୧୧ଟି ଶିଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିରେ ୩ ହଜାର ୭୭୩ ନିଯୁକ୍ତି ସୁଯୋଗ ସୃଷ୍ଟିହେବ।

ଅକ୍ଷୟ ଶକ୍ତି ଉତ୍ପାଦନ, ମେଟାଲ ଓ ଆନୁସଙ୍ଗିକ ଶିଳ୍ପରେ ପୁଞ୍ଜିନିବେଶ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ପୂର୍ବ ଭାରତର ଶିଳ୍ପ ହବ୍‌। ସ୍ଥିର ଶିଳ୍ପ ନୀତି ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି। ଇଜ ଅଫ ଡୁଇଙ୍ଗରେ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାରେ ସହାୟକ ହୋଇଛି। ଓଡ଼ିଶାର ଶିଳ୍ପଗୁ଼ଡିକ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି। ଏହାଦ୍ୱାରା ରାଜ୍ୟର ଅର୍ଥନୈତିକ ପ୍ରଗତିରେ ଯଥେଷ୍ଟ ଅଗ୍ରଗତି ପରିଲ୍ଲଖିତ ହୋଇଛି। କୋଭିଡ ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ ଅଭାବକୁ ଦୂର କରିଛନ୍ତି ଶିଳ୍ପାନୁଷ୍ଠାନ।

ବଲାଙ୍ଗୀରରେ ଆଦିତ୍ୟ ବିର୍ଲା ପକ୍ଷରୁ ଅକ୍ଷୟଶକ୍ତି ପ୍ରକଳ୍ପର ଉଦଘାଟନ। ଆଦିତ୍ୟ ବିର୍ଲା ପକ୍ଷରୁ ୩୫୨.୫୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି। ଝାରସୁଗୁଡାରେ ୬୪.୪୩ କୋଟି ପୁଞ୍ଜିନିବେଶରେ ହୋଇଛି ଆଲୁମିନା ରିଫାଇନାରୀ ପ୍ରକଳ୍ପ। ଖୋର୍ଦ୍ଧା ଛତାବରରେ ୨୦ କୋଟି ବ୍ୟୟରେ ହୋଇଛି ଗାର୍ମେଣ୍ଟ ୟୁନିଟ ଉଦଘାଟିତ ହୋଇଛି। ପାରାଦୀପରେ ସଲଫ୍ୟୁରିକ ଏସିଡ ସଂପ୍ରସାରଣ ପ୍ରକଳ୍ପ କରିବ ଇଫକୋ। ସୁନ୍ଦରଗଡ ଲହୁଣୀପଡାରେ ହେବ ଲୁହାପଥର ବେନିଫିକେସନ ପ୍ଲାଣ୍ଟ। କଟକ ଖୁଣ୍ଟୁଣିରେ ହେବ ପିଭିସି ପାଇପ ଉତ୍ପାଦନ ଶିଳ୍ପ।

ଖୋର୍ଦ୍ଧାରେ ବ୍ରିଟାନିଆ ପକ୍ଷରୁ କରାଯିବ ବିସ୍କୁଟ ଫ୍ୟାକ୍ଟ୍ରି। ସେହିପରି ଖୋର୍ଦ୍ଧା ଚମ୍ପାଝରରେ ଏନ.କେ ଆନନ୍ଦ ପକ୍ଷରୁ କରାଯିବ ଜୋତା କାରଖାନା। କଟକ ରାମଦାସପୁରରେ ହେବ ଥର୍ମୋ ପ୍ଲାଷ୍ଟିକ ପାଇପ କାରଖାନା, ଭାରତ ମସଲା ପକ୍ଷରୁ ରାମଦାସପୁରରେ ହେବ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ, ଚୌଦ୍ୱାରରେ ବାୟୋ ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ, ଅର୍ଗାନିକ ଫର୍ଟିଲାଇଜର ଉତ୍ପାଦନ ୟୁନିଟ ଓ ନୁଡୁଲସ ଉତ୍ପାଦନ କାରଖାନା ହେବ। ନଭେମ୍ବର ୨୦୧୭ରୁ ୧୯୫ଟି ପ୍ରକଳ୍ପ ରାଜ୍ୟରେ ବାସ୍ତବ ରୂପ ନେଇଛି। ୯୨ହଜାର ୪୬୦ କୋଟି ୮୪ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏକ ଲକ୍ଷ ୧୮ ହଜାର ୨୧୧ ଜଣ ଯୁବକ ଯୁବତୀଙ୍କୁ ମିଳିଛି ନିଯୁକ୍ତି ସୁଯୋଗ।

Latest Posts

Don't Miss