ପଶ୍ଚିମାଝଡ ପ୍ରଭାବରେ ଉତ୍ତର ଉପକୂଳରେ ଘଡଘଡି ସହ ବର୍ଷା

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ସବୁଠି କୋହଲାପାଗ । ପଶ୍ଚିମାଝଡ ପ୍ରଭାବରେ ଉତ୍ତର ଉପକୂଳରେ ଘଡଘଡି ସହ ବର୍ଷା । କାଲିଠୁ ବଢ଼ିବ ବର୍ଷାର ବିସ୍ତୃତି ଓ ପରିମାଣ । ନୟାନ୍ତ କରିବ ଝଡ ପବନ । କାଲି ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା କୋରାପୁଟ, ମାଲକାଗିରି, ନବରଙ୍ଗପୁର ସହ ୧୨ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ ବହିବ । ପବନ ବେଳେ କ୍ଷୟକ୍ଷତି ନେଇ ଆଶଙ୍କା କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୧୯ ତାରିଖ ଯାଏଁ ଏଭଳି ପାଗ ଲାଗିରହିବ । ୧୮ ତାରିଖରେ ସର୍ବାଧିକ ପ୍ରଭାବ ରହିବ ।

ଉପକୂଳ ଓଡ଼ିଶାର ୬ଜିଲ୍ଲା ସାଙ୍ଗକୁ ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଗାଙ୍ଗେୟ ପଶ୍ଚିମବଙ୍ଗ ତଥା ହିମାଳୟ ପାଦଦେଶରୁ ଦକ୍ଷିଣ ଓଡ଼ିଶା ଯାଏଁ ଲମ୍ବିଛି ନିମ୍ନଚାପ ରେଖା । ଆଗକୁ ଏହା ଓଡ଼ିଶାର ଆହୁରି ନିକଟତର ହେବ । ଫଳରେ ପଶ୍ଚିମାଝଡର ପ୍ରଭାବ କାଲିଠୁ ଅଧିକ ଅନଭୂତ ହେବ । ଭୂମଧ୍ୟ ସାଗରରୁ ବାୟୁମଣ୍ଡଳର ମଧ୍ୟଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଲେ ପଶ୍ଚିମା ଝଡ ଆସେ । ଏହି ପବନ ପଶ୍ଚିମରୁ ପୂର୍ବ ଆଡ଼କୁ ପ୍ରବାହିତ ହେଉଥିବାରୁ ଏହାକୁ ପଶ୍ଚିମା ଝଡ କୁହାଯାଏ । ଏହି ଘୂର୍ଣ୍ଣିବଳୟ ବା ନିମ୍ନ ଚାପରେଖା ଦକ୍ଷିଣ ଅକ୍ଷାଂଶ ଆଡ଼କୁ ଗତି କଲେ ଓଡ଼ିଶା ଉପରେ ପ୍ରଭାବ ପକାଏ । ବର୍ତ୍ତମାନ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ନେଇ ଆକଳନ ହୋଇଛି ।