ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷାରେ ବେହାଲ ସାରା ଓଡ଼ିଶା

ଭୁବନେଶ୍ୱର: ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଘଡଘଡି ବିଜୁଳି ସହ ପ୍ରବଳ ବର୍ଷାରେ ବେହାଲ ହେଉଛି ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡ଼ିଶା । ଆସନ୍ତା କାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ପବନ ପାଇଁ ଅଧା ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ଏହି ସବୁ ଜିଲ୍ଲାଗୁଡିକରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି । ସେହିଭଳି ୨ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷା ନେଇ ଉପକୁଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୨ ତାରିଖ ପରଠାରୁ କୌଣସି ଜିଲ୍ଲାକୁ ସତର୍କତା ଜାରି କରାଯାଇନଥିବା ବେଳେ ସେହିଦିନ ରାତିରେ ପୁଣି ଏକ ପଶ୍ଚିମା ଝଡ ସକ୍ରିୟ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ପୁଣି ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଭାବିତ ହେବାର ଅଧିକ ସମ୍ଭାବନା ରହିଛି । ସେପଟେ କାଳବୈଶାଖୀର ମୁକାବିଲା ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।