ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ ଲଘୁଚାପ, ୩ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ ବର୍ଷା

1 min read

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ ଲଘୁଚାପ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବା ସମ୍ଭାବନା ରହିଛି । ପ୍ରଭାବରେ ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ ସାରା ଓଡିଶାରେ ପ୍ରବଳ ବର୍ଷାହେବ । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଉତ୍ତର ଉପକୁଳ ଓଡ଼ିଶାର ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବଲାଙ୍ଗୀର, ବରଗଡ, ସୋନପୁର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଦେବଗଡ, ଢେଙ୍କାନାଳ ଏବଂ ମୟୁରଭଞ୍ଜକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିଭଳି ପ୍ରବଳ ବର୍ଷା ନେଇ ଉତ୍ତର-ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ୧୩ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ । ୪ ତାରିଖରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

ଉତ୍ତର ଓଡିଶାରେ ପ୍ରଚଣ୍ଡ ବିଜୁଳି ଘଡ଼ଘଡ଼ି ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି । ୧ ତାରିଖଠୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧୧୫.୪ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ଵାଭାବିକ ବର୍ଷା ଠାରୁ ୩ ପ୍ରତିଶତ ନିଅଣ୍ଟିଆ ରହିଛି । ରାଜ୍ୟର ତିନି ଜିଲ୍ଲା ଢେଙ୍କାନାଳ, ବୌଦ୍ଧ, ଝାରସୁଗୁଡ଼ା ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅନ୍ୟ ତିନି ଜିଲ୍ଲା ପୁରୀ,କେନ୍ଦ୍ରାପଡା, ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ହୋଇଛି ଅନ୍ୟ ବାକି ଜିଲ୍ଲା ମାନଙ୍କରେ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି ।