ଆସୁଛି ବଡ ବର୍ଷା, ୧୯ରୁ ୨୨ ଯାଏଁ ଅବିଶ୍ରାନ୍ତ ମୂଷଳ ଧାରାରେ ବର୍ଷିବ

1 min read

ଭୁବନେଶ୍ୱର: ଆସୁଛି ବଡ ବର୍ଷା । ୧୯ରୁ ୨୨ ଯାଏଁ ଅବିଶ୍ରାନ୍ତ ମୂଷଳ ଧାରାରେ ବର୍ଷିବ। ଫୁଲିବ ନଦୀ, ଧସିବ ପାହାଡ! ସହରାଞ୍ଚଳରେ ଉଛୁଳିବ ଡ୍ରେନ୍। ସୃଷ୍ଟି ହେବ ଟ୍ରାଫିକ୍ ସମସ୍ୟା। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସଂଗୀନ ହେବ ସ୍ଥିତି। ଅଧିକାଂଶ ଜିଲ୍ଲାରେ ୨ଶହ ମିଲିମିଟରରୁ ଅଧିକ ବର୍ଷିବା ସମ୍ଭାବନା। ସତର୍କ କରାଇଲା ପାଣିପାଗ କେନ୍ଦ୍ର। ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇ ଉତ୍ତର ଛତିଶଗଡ ଆଡକୁ ଗତି କରିଛି। ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ଛତିଶଗଡ ଉପରମୁଣ୍ଡରେ ମଧ୍ୟ ବର୍ଷାର ପରିମାଣ ବଢ଼ିବ। ଫଳରେ ବିଭିନ୍ନ ନଦୀର ଜଳସ୍ତର ଧିରେ ଧିରେ ବଢିବ। ଏହାସହ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୯ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇ ଛତିଶଗଡମୁହାଁ ହେବ। ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଗତ ୨୪ଘଣ୍ଟାରେ ରାଜ୍ୟରେ ବିସ୍ତୃତ ବର୍ଷା ଅନୁଭୂତ ହୋଇଛି। ସୋନପୁର ଜିଲ୍ଲାର ବିନିକାଠାରେ ସର୍ବାଧିକ ୧୬୫.୨ ମିଲିମିଟର ରେକର୍ଡ ହୋଇଥିବା ବେଳେ ସମ୍ବଲପୁରର ଧାନକୌଡାରେ ୧୫୫ ମିଲିମିଟର, ଜୁଜୁମରାରେ ୧୩୬ମିମି ଏବଂ ବରଗଡରେ ୧୨୮.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ୬ଟିସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୧୨ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।

ଲଗାଣ ବର୍ଷା ଯୋଗୁଁ ସମ୍ବଲପୁର ସାକ୍ଷୀପଡ଼ା ରେଲଓ୍ବେ ଅଣ୍ଡରପାସ୍ ବୁଡ଼ିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଅଇଁଠାପାଲିର ବିଭିନ୍ନ ଅଞ୍ଚଳ ପାଣି ଘେରରେ ରହିଛି । ସକ୍ରିୟ ମୌସୁମୀ ପ୍ରଭାବରେ ଗତ ୨୪ଘଣ୍ଟାରେ ଅନୁଭୂତ ବର୍ଷାରେ ୩% ନିଅଣ୍ଟିଆ ଭରଣା ହୋଇଛି। ରାଜ୍ୟରେ ଚଳିତ ମୌସୁମୀ ଋତୁରେ ଆଜି ସୁଦ୍ଧା ୩୦୭.୮ ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ୱାଭାବିକ ବର୍ଷା ୩୮୨.୮ ମିମି ତୁଳନାରେ ୨୦ପ୍ରତିଶତ କମ୍। ତେବେ ସାମ୍ଭବ୍ୟ ଲଘୁଚାପ ରାଜ୍ୟରେ ବନ୍ୟାର ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି।