ରାଜ୍ୟରେ ହାଲୁକା ଶୀତ ସହ କୁହୁଡି କରିବ କଲବଲ

ଭୁବନେଶ୍ବର: ହାଲୁକା ଶୀତ ସହ କୁହୁଡି କରିବ କଲବଲ। ଉପାନ୍ତରୁ ଉପକୂଳ ସବୁଠି ଘନ କୁହୁଡିର ଆସ୍ତରଣ ଅନୁଭୁତ ହେବ । ଆଜି ଘନ କୁହୁଡି ପାଇଁ ଉତ୍ତର ଉପକୂଳ ଓଡ଼ିଶା ସହ ଦକ୍ଷିଣ ଓଡ଼ିଶାର ୧୯ଟି ଜିଲ୍ଲାରେ ୨୦୦ ମିଟରରୁ କମ୍ ଦୃଶ୍ୟମାନ ଦୂରତା ରହିବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲି ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କଟକ, ଅନୁଗୁଳ, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଏବଂ ରାୟଗଡାର ଅଧିକାଂଶ ସ୍ଥାନରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ପାଣିପାଗ କେନ୍ଦ୍ରର ସତର୍କତା ପରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ବିଶେଷ କରି ପରିବହନ ବିଭାଗ ଏବଂ ପୋଲିସକୁ ଗାଡି ଚଳାଚଳ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଘନ କୁହୁଡି ସମୟରେ ୫୦ ମିଟରରୁ କମ୍ ଦୃଶ୍ୟମାନ ଦୂରତା ରହୁଥିବାରୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ତେଣୁ ବିଭିନ୍ନ ଦୁରର୍ଘଟଣା ଜୋନ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଥଣ୍ଡା ପବନର ପ୍ରଭାବ କମିବା ସହ ପୂର୍ବାଳୀ ଗରମ ଶୁଷ୍କ ପବନ ପ୍ରବାହ ବଢିଛି । ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ହେବା ସହ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ବୃଦ୍ଧି ହୋଇଛି । ଫଳରେ ଜାଡ କମିବା ସହ ଘନ କୁହୁଡି ଦେଖାଦେଉଛି । ଆଜି ରାଉରକେଲାରେ ଅତି ଘନକୁହୁଡି ଦେଖିବାକୁ ମିଳିଥିବା ବେଳେ ଫୁଲବାଣୀ, ସୋନପୁର, କେନ୍ଦ୍ରାପଡା ଏବଂ ପରାଦିପରେ ଘନ କୁହୁଡି ଅନୁଭୁତ ହୋଇଛି । କୋରାପୁଟରେ ସର୍ବନିମ୍ନ ୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।