ଉପରମୁହାଁ ପାରଦ; ଏବେଠୁ ଆଉଟୁ ପାଉଟୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶା

ଭୁବନେଶ୍ୱର : ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ଉପରମୁହାଁ ପାରଦ । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ତାତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ ଆଦି ଜିଲ୍ଲାରେ ତାତି ବୃଦ୍ଧି ପାଇଥିବା ବେଳେ ଉପକୂଳ ଓଡିଶାର ଖୋର୍ଦ୍ଧା, ନୟାଗଡ଼, କଟକ, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରେ ହଟ ଓ୍ବେଦର କଣ୍ଡିସନ ଦେଖାଦେଇଛି।

ଆଗକୁ ଆହୁରି ଅସମ୍ଭାଳ ତାତି ହେବ ବୋଲି ସତର୍କତା ଜାରି କରାଯାଇଛି । ବର୍ତ୍ତମାନ ଓଡିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବାରୁ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ତାତି ଜାରି ରହିବ। ସେପଟେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପଶ୍ଚିମା ଝଡର ସକ୍ରିୟତା ପାଇଁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ବରଗଡ଼, ଦେବଗଡ, ଅନୁଗୁଳ ଏବଂ ଝାରସୁଗୁଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଏବଂ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର।

କାଲି ପଶ୍ଚିମା ଝଡ ପ୍ରଭାବରେ ମଧ୍ଯ କେତେକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ନେଇ ଆକଳନ କରାଯାଇଛି । ଗତକାଲି ରାଜ୍ଯରେ ୧୩ ସହରର ତାପମାତ୍ରା ୩୫ ଡିଗ୍ରୀ ବା ତାଠୁ ଅଧିକ ରହିଥିଲା ।