ଦୁଇଦିନ ଯାଏ ରାଜ୍ଯରେ ପ୍ରବଳ ବର୍ଷା; ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର : ରାଜ୍ଯରେ ପ୍ରବଳ ବର୍ଷା । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଆଖପାଖରେ ଘୂର୍ଣ୍ଣିବଳୟ ଓ ସକ୍ରିୟ ମୌସୁମୀ ନିମ୍ନ ଚାପରେଖା ପାଇଁ ଓଡ଼ିଶାରେ ହେଉଛି ନିର୍ଧୁମ ବର୍ଷା । ଆସନ୍ତା ଦୁଇଦିନ ଯାଏ ଏଭଳି ବର୍ଷା ଜାରି ରହିବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । କଟକ, ନୟାଗଡ, ଅନୁଗୁଳ, ବୈାଦ୍ଧ, ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୭୦ରୁ ୨୦୦ମିଲିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି ।

ବର୍ଷା ପ୍ରଭାବରେ କମିବ ଦୃଶ୍ୟମାନ ଦୂରତା, ସୃଷ୍ଟି ହେବ ଟ୍ରାଫିକ ସମସ୍ୟା । ଭାଙ୍ଗିବ କଚ୍ଚା ଘର, ପ୍ରଭାବିତ ହେବ କଚ୍ଚା ରାସ୍ତା । ତଳିଆ ଅଞ୍ଚଳରେ ସୃଷ୍ଟି ହେବ ଜଳବନ୍ଦୀ ସ୍ଥିତି । ପାହାଡିଆ ଅଞ୍ଚଳରେ ଭୂସ୍ଖଳର ପରିସ୍ଥିତି ଉପୁଜିପାରେ । ସେହିଭଳି ପ୍ରବଳ ବର୍ଷା ପାଇଁ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ । ସେପଟେ ଜୁନ ମାସରୁ ଏବେ ସୁଦ୍ଧା ରାଜ୍ୟରେ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।