spot_img

Latest Posts

ଓଡ଼ିଶାରେ ପ୍ରଭାବଶାଳୀ ହେଉନି ଲଘୁଚାପ

ଭୁବନେଶ୍ବର:  ଓଡ଼ିଶାରେ ପ୍ରଭାବଶାଳୀ ହେଉନି ଲଘୁଚାପ। ବାରମ୍ବାର ଦୁର୍ବଳ ହେଉଛି ମୌସୁମୀ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଘନୀଭୂତ ହେବାକୁ ବଳ ପାଉନି। ବଙ୍ଗୋପସାଗର ବ୍ରାଞ୍ଚ ଅପେକ୍ଷା ଆରବ ସାଗର ବ୍ରାଞ୍ଚରେ ସୃଷ୍ଟ ଲଘୁଚାପ ଅଧିକ ଶକ୍ତିଶାଳୀ ହେଉଛି। ଫଳରେ ରାଜ୍ୟରେ ଚଳିତ ମୌସୁମୀ ସିଜିନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଜୁନ ୧ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ମାତ୍ର ୪ଟି ଲଘୁଚାପ ସୃଷ୍ଟି ହୋଇଛି। କିନ୍ତୁ ମାତ୍ର ଦୁଇଟି ଲଘୁଚାପ ଶକ୍ତିଶାଳୀ ହୋଇ ପ୍ରଭାବ ପକାଇଛି। କିନ୍ତୁ ବାକି ଦୁଇଟି ସ୍ଥଳଭାଗରେ ସୃଷ୍ଟି ହୋଇ ଦୁର୍ବଳ ହୋଇଛି। ଫଳରେ ରାଜ୍ୟରେ ଯେଉଁ ସମୟରେ ଯେତିକି ବର୍ଷାର ଆବଶ୍ୟକତା ରହିଛି ସେଥିରେ ବ୍ୟତିକ୍ରମ ଦେଖାଦେଇଛି। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଦେଇ ଝାଡଖଣ୍ଡ ଅଭିମୁଖେ ଗତି କଲେ ଓଡ଼ିଶାରେ ପ୍ରବଳ ବର୍ଷା ହୁଏ। କିନ୍ତୁ ମାତ୍ର ଦୁଇଟି ଲଘୁଚାପର ଗତି ଏମିତି ଦେଖିବାକୁ ମିଳିଛି ।

ସେପଟେ ବାଂଲାଦେଶ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସ୍ବାଭାବିକ ଅବସ୍ଥାନକୁ ଫେରୁଛି ମୌସୁମୀ ନିମ୍ନ ଚାପରେଖା। ପ୍ରଭାବରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଘଡଘଡି ବିଜୁଳି ସହ ବର୍ଷା ନେଇ ୧୩ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ କାଲି ପ୍ରବଳ ବର୍ଷା ନେଇ ୫ଜିଲ୍ଲାକୁ ଆଲର୍ଟ କରାଯାଇଛି। ଏସବୁ ଜିଲ୍ଲାରେ ୭୦ରୁ ୧୧୦ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହିଛି। ୧୭ ଏବଂ ୧୮ତାରିଖରେ ବର୍ଷାର ସର୍ବାଧିକ ପ୍ରଭାବ ପଡିବ। ୧୭ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, ନରବଙ୍ଗପୁର, ମାଲକାନଗିରି, କୋରାପୁଟ ଏବଂ ବଲାଙ୍ଗୀର ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

ଜୁନ୍ ୧ତାରିଖରୁ ଆଜି ମଧ୍ୟରେ ୭ରୁ ୮ଟି ଲଘୁଚାପ ସୃଷ୍ଟି ହେବା କଥା। ହେଲେ ମାତ୍ର ୪ଟି ସୃଷ୍ଟି ହୋଇଛି। ସେଥିରୁ ମାତ୍ର ଦୁଇଟିରେ ଅଧିକ ବର୍ଷା ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ବାଭାବିକଠାରୁ ୮ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

 

Latest Posts

Don't Miss