ରାଜ୍ୟରେ ଆଗକୁ ବଢ଼ିବ ମୌସୁମୀ, ୩ରୁ ୪ଦିନ ମଧ୍ୟରେ ଓଡ଼ିଶାକୁ ପ୍ରବେଶ କରିବ ମୌସୁମୀ

ଭୁବନେଶ୍ୱର: ଆଗକୁ ବଢିବ ମୌସୁମୀ । ଆସନ୍ତା ୧୫ ତାରିଖ ପରେ ମୌସୁମୀ ଆଗକୁ ବଢିବା ପାଇଁ ପାଗ ଅନୁକୂଳ ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତ ୮ ତାରିଖରେ ଓଡ଼ିଶାର ମାଲକାନଗିରି ଜିଲ୍ଲାକୁ ଛୁଇଁଥିବା ବେଳେ ଆଉ ଆଗକୁ ବଢିପାରିନି । କାରଣ କାଳବୈଶାଖୀ ପ୍ରଭାବ କମିବା ସହ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଉତ୍ତର ଉପକୂଳ ଓଡିଶାରେ ମଧ୍ୟ ଗରମ ଗୁଳୁଗୁଳି ଲଗାତାର ଜାରି ରହିଛି। ଫଳରେ ମୌସୁମୀ ମାଲକାନଗିରି ଜିଲ୍ଲାରୁ ଆଗକୁ ବଢିବା ପାଇଁ ବଳ ପାଉନି । ତେବେ ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମହାରାଷ୍ଟ୍ର ଓ ଛତିଶଗଡ଼ର କିଛି ଅଞ୍ଚଳ, ସମ୍ପୂର୍ଣ୍ଣ ତେଲେଙ୍ଗାନାକୁ ସ୍ପର୍ଶ କରିଛି । ଆଗାମୀ ୩ରୁ ୪ଦିନ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳ ସମେତ ଆନ୍ଧ୍ର ଉପକୂଳ ଓ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଅଞ୍ଚଳକୁ ସ୍ପର୍ଶ କରିବା ନେଇ ପାଗ ଅନୁକୂଳ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୌସୁମୀ ସ୍ପର୍ଶ କରିବା ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଓ ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ । ୧୫ ତାରିଖଠାରୁ ପାଗରେ ପରିବର୍ତ୍ତନ ହୋଇପାରେ। ଗ୍ରୀଷ୍ମ ପ୍ରବାହ ସାମାନ୍ୟ କମିବା ସହ କାଳବୈଶାଖୀ ବର୍ଷାର ପ୍ରଭାବ ବଢିବ। ୧୬ ତାରିଖରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୭ ତାରିଖଠାରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।