ରାଜ୍ୟର ନଦୀ ଜଳ ପ୍ରସଙ୍ଗରେ ବିଜେପି ସରକାରଙ୍କ ବିରୋଧରେ ବିଶାଳ ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ନଦୀ ଜଳ ପ୍ରସଙ୍ଗରେ ବିଜେପି ସରକାରଙ୍କ ବିରୋଧରେ ବିଶାଳ ଆନ୍ଦୋଳନ। ଜଳ ମାନବ ରାଜେନ୍ଦ୍ର ସିଂଙ୍କ ନେତୃତ୍ୱରେ ଓଡ଼ିଶାରେ ହେବ ବିଶାଳ ନଦୀ ଆନ୍ଦୋଳନ। ନଦୀକୁ ନେଇ ଲଢ଼େଇ କରୁଥିବା ରାଜ୍ୟର ସମସ୍ତ ସଂଗଠନ, ଆନ୍ଦୋଳନକାରୀ ଆକ୍ଟିଭିଷ୍ଟ ଓ ସାଧାରଣ ଲୋକେ ଆନ୍ଦୋଳନରେ ଯୋଡ଼ିହେବେ । ଓଡ଼ିଶାର ନଦୀଗୁଡ଼ିକ ପ୍ରଦୂଷିତ ଓ ଦୟାର ଦୂଷିତ ଜଳ ବ୍ୟବହାର କରି ସାତ ଆଠ ଜଣ ଲୋକ ମୃତ୍ୟୁମୁଖରେ ପଡ଼ିଲେ । ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ସଂଗଠନ ଭେଟିବା ପରେ ମଧ୍ୟ ଦୟା ନଦୀର ସାମାନ୍ୟ ଦଳ ମଧ୍ୟ ସଫା ହେଲାନାହିଁ । ସେପଟେ ମହାନଦୀ ଶୁଖିଲା ପଡ଼ିଛି। ଏସବୁ ପ୍ରତିବାଦରେ ଆସନ୍ତାକାଲିଠାରୁ ଜଳମାନବ ରାଜେନ୍ଦ୍ର ସିଂଙ୍କ ନେତୃତ୍ୱରେ ରାଜ୍ୟରେ ସଂଗଠନ ଗୁଡିକ କାର୍ଯ୍ୟ ଆରମ୍ଭ କରିବେ ।
ଆସନ୍ତାକାଲି କଣାସ ଠାରେ ଦୟା ନଦୀ ଜଳ ବ୍ୟବହାର କରି ମୃତ୍ୟୁବରଣ କରିଥିବା ପରିବାର ଓ ସ୍ଥାନୀୟ ବାସିନ୍ଦାଙ୍କୁ ଭେଟିବେ ରାଜେନ୍ଦ୍ର ସିଂ ଓ ଅନ୍ୟ ପ୍ରତିନିଧି ଦଳ। ଦୟାନଦୀ ପ୍ରଦୂଷଣ ସମସ୍ୟା ବିଷୟରେ ସ୍ଥାନୀୟ ନଦୀ ଉପକୁଳିଆ ବାସିନ୍ଦାଙ୍କ ସହ ଆଲୋଚନା ଓ ନଦୀ ପରିଦର୍ଶନ କରାଯିବ । ସେହିପରି ୧୨ ତାରିଖରେ ଯାଜପୁର ରୋଡଠାରେ ବ୍ରାହ୍ମଣୀ ଓ ବୈତରଣୀ ନଦୀର ପ୍ରଦୂଷଣ ସମ୍ପର୍କରେ ନାଗରିକଙ୍କ ସହିତ ବିଚାର ବିମର୍ଷ ହେବ । ଭଦ୍ରକ ଟାଉନ ହଲ ଠାରେ ବୈତରଣୀ – ସାଳନ୍ଦୀ ନଦୀ ସୁରକ୍ଷା ସମ୍ମିଳନୀ କରାଯିବ ।
ଆସନ୍ତା ୧୩ ତାରିଖରେ ଭୁବନେଶ୍ୱରରେ ଓଡ଼ିଶା ନଦୀ ସୁରକ୍ଷା ସମ୍ମିଳନୀ ହେବ। ଯେଉଁଥିରେ ରାଜ୍ୟର ସବୁ ବର୍ଗର ଲୋକ, ନଦୀ ଆନ୍ଦୋଳନର ବ୍ୟକ୍ତି ବିଶେଷ ଓ ଅନ୍ୟାନ୍ୟ ବର୍ଗ ସାମିଲ ହେବେ । ଏହା ପରେ ଜଳ ମାନବ ରାଜେନ୍ଦ୍ର ସିଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଆଗକୁ ଏସବୁକୁ ନେଇ ଆନ୍ଦୋଳନ କିଭଳି ବ୍ୟାପକ ହେବ ସେ ନେଇ ନିଷ୍ପତ୍ତି ହେବ । ରାଜ୍ୟବ୍ୟାପୀ ରାଜେନ୍ଦ୍ର ସିଂଙ୍କ ନେତୃତ୍ୱରେ ବହୁ ଲୋକଙ୍କୁ ନଦୀ ଆନ୍ଦୋଳନରେ ସାମିଲ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି।