ଘରୋଇକରଣ ହୋଇପାରେ ୱାଟକୋ, ସରକାରଙ୍କ ଯୋଜନାକୁ ରାଜନୈତିକ ଦଳ ଓ ବୁଦ୍ଧିଜୀବୀଙ୍କ ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ଜଳ ନିଗମ ବା ୱାଟକୋ ଘରୋଇକରଣ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ସହରାଞ୍ଚଳରେ ଜଳ ଯୋଗାଣ, ସ୍ଵେରେଜ ଓ ପରିମଳ ଦାୟିତ୍ଵ ୱାଟକୋ ହାତରେ ଥିବା ବେଳେ ଏବେ ବିଭିନ୍ନ କାରଣରୁ ଓ୍ବାଟକୋ ଦୁର୍ବଳ ହେବାରେ ଲାଗିଛି। ପୁରୀକୁ ବାଦ୍ ଦେଲେ ବାକି ୧୧ ସହରରେ ୨୪ଘଣ୍ଟିଆ ଜଳ ଯୋଗାଣ କଥା ନିଗମ କହୁଥିଲେ ମଧ୍ୟ ବାସ୍ତବତା ହେଉଛି ଦିନକୁ ୧୧ଘଣ୍ଟାରୁ ୧୨ ଘଣ୍ଟା ପାଣି ମିଳୁଛି। ଏଥିପାଇଁ କର୍ମଚାରୀ, ମାନବସମ୍ବଳ ଓ ଫଣ୍ଡିଂର ଅଭାବ ରହିଛି। ଏବେ ଏହାକୁ ଘରୋଇ କମ୍ପାନୀ ହାତକୁ ଟେକି ଦେବା ନେଇ ସରକାର ଚିନ୍ତା କରୁଥିବା ଜଣାପଡିଛି ।

ସହରାଞ୍ଚଳରେ ବିଶୁଦ୍ଧ ଜଳ ଯୋଗାଣ ଦାୟିତ୍ଵ ୱାଟକୋ ହାତରେ। ନଗର ଉନ୍ନୟନ ବିଭାଗ ଅଧୀନରେ  କାମ କରୁଥିବା ଜଳ ନିଗମ ଏବେ ଘରୋଇ କମ୍ପାନୀ ହାତକୁ ଯିବା ନେଇ ଚର୍ଚ୍ଚା ହେଉଛି । ସରକାରଙ୍କ ଏପରି ଯୋଜନାକୁ ରାଜନୈତିକ ଦଳ ଓ ବୁଦ୍ଧିଜୀବୀ ଗ୍ରହଣ କରିବାକୁ ନାରାଜ। ରାଜ୍ୟର ୧୧୪ ସହରରେ ବିଶୁଦ୍ଧ ଜଳ ଯୋଗାଣ, ସ୍ବେରେଜ ଓ ପରିମଳ ବ୍ୟବସ୍ଥା ପାଇଁ ୨୦୧୫ରେ ରାଜ୍ୟ ସରକାର ଗଢିଥିଲେ ଓ୍ବାଟର କର୍ପୋରେସନ ଅଫ୍ ଓଡ଼ିଶା, ଓ୍ବାଟକୋ। ୨୦୧୯ରେ ୩ଟି ସହରରୁ କାମ ଆରମ୍ଭ କରିଥିବା ଓ୍ବାଟକୋ ଏବେ ସୁଦ୍ଧା ୨୯ଟି ସହରାଞ୍ଚଳରେ କାମ କରୁଛି। ପ୍ରାୟ ୬୫ ପ୍ରତିଶତ ସହରୀ ବାସିନ୍ଦାଙ୍କୁ ସୁବିଧା ଯୋଗାଉଛି ସେବା।  ବିଶ୍ବର ପ୍ରଥମ ସହର ଭାବେ ପୁରୀରେ ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ଥିଲା କମ୍ପାନୀର ସବୁଠାରୁ ବଡ଼ ଉପଲବ୍ଧି। ଏବେ ସରକାର ୱାଟକୋର ଘରୋଇକରଣ ପାଇଁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।

ନଦୀ ନାଳ ଭରା ଓଡ଼ିଶାରେ ଏବେ ଜଳ ସଙ୍କଟ। ସବୁ ସହରାଞ୍ଚଳକୁ ୨୪ ଘଣ୍ଟିଆ ଜଳ ଯୋଗାଣ ହୋଇପାରିନି। ପୁଣି ଗ୍ରାହକଙ୍କୁ ଜଳକର ମଧ୍ୟ ଅଧିକ ଦେବାକୁ ପଡ଼ୁଛି। ଏବେ ସରକାର ଘରୋଇ କମ୍ପାନୀକୁ ବିଲ୍ କଲେକ୍ସନ ସହ ଜଳ ଯୋଗାଣ ଦାୟିତ୍ବ ଦେବାକୁ ଚିନ୍ତା କରୁଛନ୍ତି । ସରକାରଙ୍କ ଏଭଳି ଯୋଜନାକୁ ବିରୋଧ କରିଛି ଓଡ଼ିଆ ଅସ୍ମିତା ପରିଷଦ। ଏଥିପାଇଁ ଆସନ୍ତା ୩୧ ତାରିଖରେ ସର୍ବଦଳୀୟ ବୈଠକ ଡ଼କାଯାଇଛି ବୋଲି ପରିଷଦର ସଭାପତି ରବି ବେହେରା କହିଛନ୍ତି। ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନା ଜରିଆରେ ସାରା ଦେଶରେ ପ୍ରଶଂସିତ ହୋଇଥିଲା ଓ୍ବାଟକୋ। କେନ୍ଦ୍ର ସରକାର ଅମୃତ ୨.୦ରେ ଓ୍ବାଟକୋର ଏହି ମଡ଼େଲକୁ ସାମିଲ କରିଥିଲେ।