କୋଭିଡରେ ଆଖି ବୁଜିଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

ଭୁବନେଶ୍ୱର: ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ । କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କରୋନାରେ ପୀଡିତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । ସେପଟେ ଗତ ୮ ତାରିଖରେ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରୁ କୋଲକାତା ପଠାଯାଇଥିଲା । ଏକମୋ ଚିକିତ୍ସା ପାଇଁ କୋଲକାତା ପଠା ଯାଇଥିଲାବେଳେ ଆଜି ରାତିରେ ତାଙ୍ତକର ଦେହାନ୍ତ ଘଟିଛି ।

ସୂଚନା ମୁତାବକ ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ଶୁକ୍ରବାର ରାତି ୧୦ଟା ୧୫ରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା । କୋଲକାତାରେ ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଜୁନ୍ ୮ ତାରିଖ ଦିନ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତାର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ।

୧୯୯୧ ବ୍ୟାଚ୍ ଆଇପିଏସ୍ ଅଫିସର  ପାଣିଗ୍ରାହୀ ବାଲେଶ୍ବର ଜିଲ୍ଲାରେ ୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । କେନ୍ଦୁଝର, ପୁରୀ, କଟକ, ଗଞ୍ଜାମ ଓ ଭୁବନେଶ୍ବର ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ ଦେବାଶିଷ । ପରେ ଡିଆଇଜି, ଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ରାଜ୍ୟ ସରକାର ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଭିଜିଲାନ୍ସ ବିଭାଗର ନିର୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ । ରାଜନୀତି ବିଜ୍ଞାନରେ ଏମଏ ପାସ୍ କରିଥିବା ଦେବାଶିଷ ଜେଏନ୍‌ୟୁରେ ଏମଫିଲ୍ କରିଥିଲେ । ପରେ ପିଏଚ୍‌ଡି ଡିଗ୍ରି ହାସଲ କରିଥିଲେ । ସେ ଆଇନରେ ସ୍ନାତକ ମଧ୍ୟ କରିଥିଲେ ।

କୋଭିଡ୍‌ ଆକ୍ତାନ୍ତ ପରେ ଗୁରୁତର ହୋଇ ସେ ପ୍ରଥମେ କଟକ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋଲାକାତାର ଏକ ସ୍ପେସାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଏକ ବିଶେଷଜ୍ଞ ଦଳ କୋଲକାତା ନେଇଥିଲେ । କରୋନାରେ ଆକ୍ରାନ୍ତ ହୋଇ ଗତ ୨୯ରୁ ଦେବାଶିଷ ପାଣିଗ୍ରାହୀ କଟକ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଭେଣ୍ଟିଲେଣ୍ଟରରେ ରଖାଯାଇଥିଲା । ଏକ୍‌ମୋ ଚିକିତ୍ସା ଜରୁରୀ ହୋଇଥିବା ପରିପ୍ରେକ୍ଷୀରେ ତାଙ୍କୁ ରାଜ୍ୟ ବାହାରକୁ ନେବାକୁ ଯୋଜନା ହୋଇଥିଲା । ବ୍ୟାପକ ବିଚାର ଆଲୋଚନା ପରେ କୋଲକାତାରେ ତାଙ୍କର ପରବର୍ତ୍ତୀ ଚିକିତ୍ସା ପାଇଁ ନିଷ୍ପତ୍ତି ହୋଇ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା । ଆଜି ତାଙ୍କ ମୃତଦେହ ଓଡ଼ିଶା ଆସିବ ବୋଲି ଜଣାପଡିଛି । ଦେବାଶିଷଙ୍କ ମୃତ୍ୟୁ ପରେ ବିଭିନ୍ନ କ୍ଷେତ୍ରରୁ ଶୋକ ପ୍ରକାଶ ପାଇଛି ।

ଦେବାଶିଷ ପାଣିଗ୍ରାହୀ ଜଣେ ପୋଲିସ ଅଫିସର କେବଳ ନୁହଁନ୍ତି । ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ । ୨୦୦୨ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ “ତଥାକଥିତ” ପାଇଁ ଏହି ପୁରସ୍କାର ଲାଭ କରିଥିଲେ । ୧୯୯୧ ମସିହାର ଭାରତୀୟ ପୁଲିସ ସେବା ଅଧିକାରୀ ଓ ବର୍ତ୍ତମାନ ଭିଜିଲାନ୍ସ ନିର୍ଦେଶକ(୨୫ ଡିସେମ୍ବର ୨୦୧୬ରୁ) ଭାବରେ ଅବସ୍ଥାପିତ ଅଛନ୍ତି । ସେହିପରି ତାଙ୍କ ଗଳ୍ପ ଇଂରାଜୀ, ହିନ୍ଦୀ, ବଙ୍ଗଳା,ତେଲୁଗୁ ଓ କନ୍ନଡ଼ ଆଦି ଭାଷାକୁ ଅନୁବାଦିତ ହୋଇସାରିଛି ।

Leave a Reply