ଓଡ଼ିଆ ପୁଅଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

1 min read

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ସିନେ ଜଗତର ବରିଷ୍ଠ ସାମ୍ବାଦିକ , ସମୀକ୍ଷକ ତଥା ଗବେଷକ ସୂର୍ଯ୍ୟ ଦେଓ ପାଇବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର  । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣାରେ ଓଡ଼ିଆ ପୁସ୍ତକକୁ ସ୍ତାନ ଦେବା ପ୍ରତିଟି ଓଡ଼ିଆଙ୍କ ପାଇଁ ଗୌରବର ଦିନ  । କାଲି ପାଇଁ କାଲିର ସିନେମା ସ୍ୱତନ୍ତ୍ର ବର୍ଗରେ ମନୋନୀତ ହୋଇଛି  । ଓଡ଼ିଆ ସିନେମା ରୂପ ରୂପାନ୍ତର, ଅର୍ଦ୍ଧ-ଶତାଦ୍ଧୀର ଓଡ଼ିଆ ସିନେମାର ତର୍ଜମା, ଝୁରାମନ ଝୁରାଗିତୀ ଓ ଓଡ଼ିଆ ସିନେମା ଗୀତ ୧୯୩୬ରୁ ୧୯୬୯ ପରେ ଏହା ଦେଓଙ୍କ ସିନେମା ସଂକ୍ରାନ୍ତୀୟ ଚତୁର୍ଥ ବହି  ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ୨୦୨୦ ମସିହା ପାଇଁ ସମ୍ମାନଜନକ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଶାର ବରିଷ୍ଠ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ କାଲି ପାଇଁ କାଲିର ସିନେମା ପୁସ୍ତକକୁ ଜାତୀୟ ପୁରସ୍କାର ମିଳିବ । ଶ୍ରେଷ୍ଠ ଆଞ୍ଚଳିକ ସିନେ ପୁସ୍ତକ ଭାବେ ଏହା ମନୋନିତ ହୋଇଛି । ୧୯୫୨ ମସିହାରେ ପ୍ରଥମ ସିନେ ପତ୍ରିକା ଭାବେ ସିନେ ଓଡ଼ିଶା ପ୍ରକାଶିତ ହୋଇଥିଲା । ଏହାପରଠାରୁ ଓଡ଼ିଆ ସିନେମାର କାହାଣୀ, ସଂଳାପ, ଚରିତ୍ର, ସଂଗୀତ ଏବଂ ବିଭିନ୍ନ ଛବିକୁ ନେଇ ଭିନ୍ନଭିନ୍ନ ସମୟରେ ପତ୍ରିକାମାନ ପ୍ରକାଶ ପାଇଛି ।

କିନ୍ତୁ ସିତା ବିବାହଠାରୁ ଆଜି ପର୍ଯ୍ୟନ୍ତ ଏକାଧିକ ପୁରୁଣା ଓଡ଼ିଆ ସିନେମାର ବିଭିନ୍ନ ଦିଗକୁ ନେଇ ଶ୍ରୀଯୁକ୍ତ ଦେଓ ଲେଖିଥିବା କାଲି ପାଇଁ କାଲିର ସିନେମା ଓଡ଼ିଶାର ସିନେମା ଜଗତରେ ଏକ ଦୁର୍ମୂଲ୍ୟ ପୁସ୍ତକ ଭାବରେ ପରିଗଣିତ ହେଉଛି । ପୂର୍ବରୁ ଦୁଇ ଓଡ଼ିଆ ଅଳକା ସାହାଣୀ ଏବଂ ପିୟୁଷ ରୟଙ୍କୁ ଶ୍ରେଷ୍ଠ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । କିନ୍ତୁ ଉଭୟ କ୍ରିଟିକ ବା ସମୀକ୍ଷା କ୍ୟାଟେଗୋରୀରେ ପାଇଥିବାବେଳେ କାଲି ପାଇଁ କାଲିର ସିନେମା ପ୍ରଥମ କରି ପୁସ୍ତକ କ୍ୟାଟେଗୋରୀରେ ସମ୍ମାନଲାଭ କରିବ  ।