ଥରିଲାଣି ଓଡ଼ିଶା, ସ୍ବାଭାବିକ ଠାରୁ ୨ ରୁ ୪ଡିଗ୍ରୀ କମିଛି ତାପମାତ୍ରା

ଭୁବନେଶ୍ବର: ଓଡ଼ିଶା ଛୁଇଁଛି ପହିଲି ଶୀତ । ମେଘମୁକ୍ତ ଆକାଶ ସହ ରାଜ୍ୟରେ ପହିଲି ଶୀତ ଅନୁଭବ ହୋଇଛି ।  ଶୀତ ସହ ଦୃଶ୍ୟମାନ ହେଉଛି ଘନ କୁହୁଡି । ସ୍ବାଭାବିକ ଠାରୁ ୨ ରୁ ୪ଡିଗ୍ରୀ କମିଛି ତାପମାତ୍ରା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବ। ଜି.ଉଦୟଗିରି, ଫୁଲବାଣୀ, କୋରାପୁଟ ଏବଂ ଦାରିଙ୍ଗବାଡିର ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଛି ।  ଅନୁଗୁଳ, ଭବାନୀପାଟଣା, କେନ୍ଦୁଝର, ସୋନପୁର, ନବରଙ୍ଗପୁର ଏବଂ ରାଉରକେଲାରେ ବି ଶୀତ ଅନୁଭୁତ ହୋଇଛି । ଏହାସହ ଉପକୂଳ ଓଡ଼ିଶାରେ ସଂନ୍ଧ୍ୟା ଏବଂ ସକାଳେ ସାମାନ୍ୟ ଶୀତ ଅନୁଭବ କରିଛନ୍ତି ଲୋକେ । ଶୀତ ସହ ଘନ କୁହୁଡି ଦେଖିବାକୁ ମିଳିଛି । ଆସନ୍ତା ୩ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପରେ ପାଗରେ ପରିବର୍ତ୍ତନ ଆସିବ । ବଙ୍ଗୋପସାଗରରୁ ଓଡ଼ିଶାକୁ ପୂର୍ବ ଦିଗରୁ ତରଙ୍ଗାୟିତ ଶୁଷ୍କ ପବନ ପ୍ରବାହ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୧ ନଭେମ୍ବରରୁ ୩ ନଭେମ୍ବର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରାଯାଇଛି ।