ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶ ୨୦୨୦ ସଂପର୍କୀୟ ୱେବିନାର…

ଭୁବନେଶ୍ୱର: ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ଆୟୋଜିତ ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶ ୨୦୨୦ ସଂପର୍କୀୟ ୱେବିନାର ଅନୁଷ୍ଠିତ ହୋଇଛି । ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଉତ୍କୃଷ୍ଟତା ନିମନ୍ତେ ରାଜ୍ୟସରକାରଙ୍କ ଦ୍ୱାରା ଆଗତ ଏହି ଐତିହାସିକ ଅଧ୍ୟାଦେଶ ସଂପକୀୟ ୱେବିନାରରେ ପାଖାପାଖି ୧,୫୦,୦୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଭିଭାବକ ଏବଂ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପ୍ରତିଷ୍ଠିତ ମହା ଅନୁଭବୀ ଶିକ୍ଷାବିତ୍‌ମାନେ ଯୋଗଦେଇ ନିଜର ମତ ପ୍ରଦାନ କରିବା ସହ ଏହି ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶକୁ ଭୂୟସୀ ପ୍ରଶଂସା କରିଥିଲେ ।

ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ଆସୋସିଏଟ୍ ପ୍ରଫେସର ଡଃ ସଂଜୀବ ପଣ୍ଡା ୱେବିନାରରେ ଅଂଶଗ୍ରହଣ କରିବା ଅବସରରେ କହିଥିଲେ କି “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟଦେଶ ୨୦୨୦ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଏବଂ ଏହି ଅଧ୍ୟାଦେଶ ଦ୍ୱାରା ଓଡିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଗୋଟିଏ ନିୟମାବଳୀରେ ପରିଚାଳିତ ହୋଇ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ସୁସ୍ଥ ଶିକ୍ଷାର ବାତାବରଣ ସୃଷ୍ଟି କରିବ । ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର କୁମରବର ଦାସ କହିଥିଲେ କି ଓଡିଶା ସରକାରଙ୍କ ଦ୍ୱାରା ଆଗତ ଏହି ଅଧ୍ୟାଦେଶ ଶିକ୍ଷା ପ୍ରଣାଳୀରେ ନୂତନ ସଂସ୍କାର ଆଣିବ ଏବଂ ଶିକ୍ଷକ ଏବଂ ଅଣ ଶିକ୍ଷକ ପଦବୀ ଚୟନ ଦାୟିତ୍ୱ ଓଡିଶା ଲୋକସେବା ଆୟୋଗ ଏବଂ ରାଜ୍ୟ ପ୍ରବରଣ ମଣ୍ଡଳୀଭଳି ସ୍ୱତନ୍ତ୍ର ସଂସ୍ଥାକୁ ପ୍ରଦାନ କରିବା ଦ୍ୱାରା ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବା ସହ ପକ୍ଷପାତିତାର ଅନ୍ତ ଘଟିବ ।

ଏହି ୱେବିନାରରେ ବିଧାୟକ ତଥା ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ ଯୋଗଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସଂପନ୍ନ ଚିନ୍ତାଧାରା ଏବଂ ସ୍ୱଚ୍ଛ ନେତୃତ୍ୱ ମାଧ୍ୟରେ ପ୍ରସ୍ତୁତ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ” ବଳରେ ଓଡିଶା ବିଶ୍ୱର ଶିକ୍ଷା ସଂସ୍କାର ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିଗ୍ରହଣ କରିବ । ଆଗାମୀ ଦିନରେ ଶିକ୍ଷାର ଗୁଣାତ୍ମକ ମାନଦଣ୍ଡ ବୃଦ୍ଧି କରିବାରେ ଏହି ଅଧ୍ୟାଦେଶ ନିଣ୍ଣାୟକ ଭୂମିକା ଗ୍ରହଣ କରିବାରେ ସହାୟକ ହେବ । ଏହି ୱେବିନାରରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ବିଜୁ ଜନତା ଦଳର ସାଧାରଣ ସଂପାଦକ (ଯୁବବ୍ୟପାର) ତଥା ମାନ୍ୟବର ବିଧାୟକ  ପ୍ରଣବ ବଳବନ୍ତ ରାୟ, ସଭାପରିଚାଳନା କରିଥିଲେ ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ  ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସଂପାଦକ (ଯୁବବ୍ୟାପାର) ତଥା ଓଡିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ  ଦେବୀ ରଂଜନ ତ୍ରୀପାଠୀ ଉପସ୍ଥିତ ରହି ୱେବିନାରକୁ ସଫଳ କରିଥିଲେ ।

 

Leave a Reply