ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇବେ ଓଡ଼ିଶାର ଜଗା-କାଳିଆ

1 min read

ଭୁବନେଶ୍ୱର: ଜଗା-କାଳିଆଙ୍କ ଯୋଡ଼ା ମୁଣ୍ଡର ସଫଳ ଅପରେସନ୍‌ ଏବେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇବ । ଏହାକୁ ପ୍ରଥମ ଯୋଡ଼ାମୁଣ୍ଡ ଅପରେସନ୍‌ ସ୍ୱୀକୃତି ଦେବାକୁ ଯାଉଛି ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ । ଏନେଇ ଆନୁଷ୍ଠାନିକ ନିଷ୍ପତ୍ତି ସରିଥିବା ଜଣାପଡ଼ିଛି ।

୨୦୧୭ ଅଗଷ୍ଟ ୨୮ ତାରିଖରେ ଏହାର ପ୍ରଥମ ପର୍ଯ୍ୟାୟ ଅପରେସନ୍‌ ହୋଇଥିଲା । ତତ୍କାଳୀନ ଏମ୍ସ ନୂଆଦିଲ୍ଲୀ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଡା. ଅଶୋକ ମହାପାତ୍ର ଓ ଏମ୍‌ସ ନୂଆଦିଲ୍ଲୀ ନ୍ୟୁରୋସର୍ଜନ ବିଭାଗର ଡାକ୍ତର ଦୀପକ କୁମାର ଗୁପ୍ତାଙ୍କ ନେତୃତ୍ୱରେ ଅପରେସନ୍‌ ହୋଇଥିଲା । ଉଭୟଙ୍କ ନେତୃତ୍ୱରେ ୧୨୫ ଜଣ ଡାକ୍ତର ଓ ପାରା ମେଡିକାଲ୍‌ ଷ୍ଟାପ୍‌ ଏହି ଅତି ଜଟିଳ ଅପରେସନ୍ କରିଥିଲେ । ଏହି ଅପରେସନ୍‌ରେ ଜାପାନୀ ନ୍ୟୁରୋସର୍ଜନ କାସୁମୀ ତାକିଜାଓ୍ୱାଙ୍କ ଭୂମିକା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଅପରେସନ୍ ଉପରେ ସମଗ୍ର ବିଶ୍ବର ନଜର ରହିଥିଲା । ଦୁଇଟି ପର୍ଯ୍ୟାୟରେ ଜଗା-କାଳିଆ ମୁଣ୍ଡ ଅଲଗା ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଅପରେସନ୍‌ ହୋଇ କାଳିଆ ମୁଣ୍ଡରେ ଭେନସ୍‌ ବାଇପାସ୍‌ ସୃଷ୍ଟି କରାଯାଇଥିଲା ଓ ଜଗା ମସ୍ତିଷ୍କକୁ ଆଂଶିକ ଅଲଗା କରାଯାଇଥିଲା । ଲଗାତାର ୨୫ ଘଣ୍ଟା ପାଇଁ ଏହି ଅପରେସନ୍‌ ଚାଲିଥିଲା । ପରେ ୨୦୧୭ ଅକ୍ଟୋବର ୨୫ ତାରିଖରେ ୨୦ ଘଣ୍ଟା ଧରି ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ ହୋଇଥିଲା । ଏଥିରେ ସମ୍ପୂର୍ଣ୍ଣ ଭାବେ ଉଭୟଙ୍କ ଯୋଡ଼ା ମୁଣ୍ଡକୁ ଅଲଗା କରାଗଲା । ଏହା ପରେ ଚୂଡ଼ାନ୍ତ ଅପରେସନ୍‌ ହୋଇଥିଲା  । ଅପରେସନ୍‌ ଏତେ ଜଟିଳ ଥିଲା ଯେ ଉଭୟ ଜୀବନ ପ୍ରତି ୭୫-୮୦ ପ୍ରତିଶତ ବିପଦ ରହିଛି ବୋଲି ଚିକିତ୍ସା ବିଜ୍ଞାନୀମାନେ ମତ ଦେଇଥିଲେ । କିନ୍ତୁ ଡାକ୍ତରୀ ଟିମ୍‌ ଅବିଶ୍ବସୀୟ ପରିଶ୍ରମ କରି ଅପରେସନ୍‌କୁ ସଫଳ କରିଥିଲେ । ଅପରେସନ୍‌ ଯୋଗୁଁ ୨୮ ମାସ ବୟସର ଜଗା-କାଳିଆଙ୍କ ଯୋଡ଼ା ମୁଣ୍ଡ ଅଲଗା ହୋଇପାରିଥିଲା । ଉଭୟଙ୍କ ମୁଣ୍ଡରେ ଚର୍ମ ପ୍ରତିରୋପଣ ହୋଇଥିଲା । ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ର ୨୦୨୦ ସଂସ୍କରଣରେ ଏହି ଅପରେସନ୍‌କୁ ପ୍ରଥମ ସଫଳ ଯୋଡ଼ାମୁଣ୍ଡ ଅପରେସନ୍‌ ମାନ୍ୟତା ଦିଆଯିବ

ଏନେଇ ଡାକ୍ତର ଅଶୋକ ମହାପାତ୍ର କହନ୍ତି, ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌କୁ ଏହା ପଠାଯାଇଥିଲା । ସେମାନେ ଏହାକୁ ଗ୍ରହଣ କରିଛନ୍ତି । ତେବେ ଏହି ଅପରେସନ୍ ଏକ ମେଜିକ୍ ବା ଚମତ୍କାର ସଦୃଶ ଥିଲା । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ, ତମାମ ରାଜ୍ୟବାସୀଙ୍କ ଶୁଭେଛା ଜଗା କାଳିଆଙ୍କ ସହିତ ଥିଲା । ଓଡ଼ିଶାର କୋଣ ଅନୁକୋଣରୁ ଲୋକେ ଜଗା କାଳିଆଙ୍କ ଅପରେସନ୍ ବେଳେ ଦୀପ ଜାଳିଥିଲେ । ଆମ ମେଡିକାଲ ଟିମର ଅକ୍ଳାନ୍ତ ପରିଶ୍ରମ ସହିତ ଜଗନ୍ନାଥଙ୍କ ଆର୍ଶୀବାଦ ଯୋଗୁଁ ସବୁକିଛି ସୁରୁଖୁରୁରେ ହୋଇଥିଲା ।

ଏ ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଡାକ୍ତର ଅଶୋକ ମହାପାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ବିରଳ ଅପରେସନ ସଫଳ କରି ଡାକ୍ତର ମହାପାତ୍ର ରାଜ୍ୟ ପାଇଁ ଗୌରବ ଆଣିଥିବା ସେ କହିଛନ୍ତି । ')}

Leave a Reply