କୁଚକ୍ରୀ ଗୋଷ୍ଠୀଙ୍କ ଉପରେ ବର୍ଷିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ୱର: କୁଚକ୍ରୀ ଗୋଷ୍ଠୀଙ୍କ ଉପରେ ବର୍ଷିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ସେ କହିଛନ୍ତି ବିଭ୍ରାନ୍ତିକର ତଥ୍ୟ ଦେଇ ଲୋକମାନଙ୍କୁ ଭ୍ରମିତ କରୁଛନ୍ତି କୁଚକ୍ରୀ ଗୋଷ୍ଠୀ । ଟୁକୁନି ସାହୁ ଟ୍ୱିଟ୍ କରି କୁଚକ୍ରୀ ଗୋଷ୍ଠୀଙ୍କୁ ଜବାବ ଦେଇଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯେଉଁଭଳି ଭାବେ ଲୋକଙ୍କ ସମସ୍ୟା ବୁଝୁଛି ଓ ସମାଧାନ କରୁଛି, ସେଥିରେ ବିରୋଧୀ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି। ସେଥିପାଇଁ ବିଭ୍ରାନ୍ତିକର ବୟାନ ଦେଉଛନ୍ତି । ବିରୋଧୀ ଚାହୁଁନଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ। ସେଥିପାଇଁ ବିଭ୍ରାନ୍ତିକର ବକ୍ତବ୍ୟ ଦେଉଛନ୍ତି। କିଏ କହୁଛି ହେଲିକପଟରରେ ଗସ୍ତ ବାବଦକୁ ୩୦୦ କୋଟି ଖର୍ଚ୍ଚ ହୋଇଛି ତ କିଏ କହୁଛି ୫୦୦ କୋଟି ।

ବିରୋଧୀଙ୍କ ନିଜ କଥାରେ ବି ତାଳମେଳ ନାହିଁ। ପ୍ରକୃତରେ ଗତ ୫ବର୍ଷରେ ହେଲିକପଟରରେ ଗସ୍ତ ବାବଦକୁ ପ୍ରାୟ ୫୦କୋଟି ଖର୍ଚ୍ଚ ହୋଇଛି । ଅର୍ଥାତ୍ ବର୍ଷକୁ ହାରାହାରି ୧୦ରୁ ୧୨ କୋଟି ଟଙ୍କା ବ୍ୟୟ ହୋଇଛି। ଆସନ୍ତା ବିଧାନସଭା ଅଧିବେଶନରେ ସେ ଏନେଇ ତଥ୍ୟ ରଖିବେ ବୋଲି ଟୁକୁନି ସାହୁ କହିଛନ୍ତି । ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବିରୋଧୀ ଏପରି ମିଥ୍ୟା ପ୍ରଚାର କରୁଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା ଦରକାର । ସାମାନ୍ୟ ଲଜ୍ଜା ଥିଲେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଥିବାରୁ ଓଡିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଟୁକୁନି ସାହୁ କହିଛନ୍ତି ।