ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଲର୍ଟ ସ୍ୱାସ୍ଥ୍ୟ ବିଭାଗ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ । ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବା ସହ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି । ପ୍ରତ୍ୟେକ ହସ୍ପିଟାଲରେ ଡେଡିକେଟେଡ଼ ବେଡ଼ ସହ କୁଲିଙ୍ଗ ବ୍ୟବସ୍ଥା ରଖାଯାଇଛି । ଲୋକଙ୍କ ପାଇଁ ସ୍ୱତନ୍ତ୍ର ଆଡ଼ଭାଇଜରି ଜାରି ହୋଇଛି । ଟାଣ ଖରାରେ ବାହାରକୁ ନ ବାହାରିବାକୁ ପରାମର୍ଶ । ବାହାରକୁ ଗଲେ ମୁଣ୍ଡରେ ଓଦା ଗାମୁଛା ପକାଇବା ସହ ପ୍ରଚୁର ପାଣି ପିଇବା, ସାଙ୍ଗରେ ଛତା ନେବାକୁ ପରାମର୍ଶ । ରୋଗୀ ଲୋକ ଖରାରେ ନ ବହାରିବାକୁ ପରାମର୍ଶ । ବାହାରେ କାମ କରୁଥିଲେ ଅଂଶୁଘାତର କିଛି ଲକ୍ଷଣ ଦେଖାଦେଲେ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଛାଇକୁ ଆଣି ଥଣ୍ଡା ପାଣିରେ ପୋଛିବା ସହ ପାଣି ପିଇବାକୁ ଦେଇ ତୁରନ୍ତ ହସ୍ପିଟାଲ ଆଣିବାକୁ ପରାମର୍ଶ । ଏବର୍ଷ ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଆକଳନକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ ବିଭାଗର କଡା ନଜର ରହିଛି । ଇଣ୍ଟିଗ୍ରେଟେଡ଼ ହେଲଥ ରେସପନ୍ସ ସିଷ୍ଟମରେ ସବୁ ବ୍ଲକରେ ରାପିଡ ଆକ୍ସନ ଟିମ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ପଡ଼ିଲେ ଏହି ଟିମ ବିଭିନ୍ନ ସ୍ଥାନକୁ ଯିବ । ଏହାକୁ ମନିଟର କରାଯାଉଛି । ଏହାସହିତ ବିଭିନ୍ନ ସ୍ଥାନରେ ଅସୁରକ୍ଷିତ ଭାବେ ଜଳଛତ୍ର ଖୋଲାଯାଉଥିବାରୁ ଜଳଛତ୍ରରେ ସ୍ୱଚ୍ଛ ପାନୀୟ ଜଳ ରଖି ପିଇବାକୁ ଦେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ହାଇଜେନିକ ମେଥଡ଼ରେ ପାଣି ଦେବାକୁ ପରାମର୍ଶ । ଏସବୁ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ସମ୍ଭାବ୍ୟ ପରିସ୍ଥିତିକୁ ଆଖି ଆଗରେ ରଖି ନିର୍ଦେଶନାମା ଜାରି କରାଯାଇଛି ବୋଲି ସୂଚନା ଦେଲେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।..