ବଜାରରେ ଲାଗିଛି ଦରଦାମ ନିଆଁ, ସରକାରଙ୍କ ଉପରେ ବର୍ଷିଲା ବ୍ୟବସାୟୀ ମହାସଂଘ

ନନ୍ଦିଘୋଷ ବ୍ୟୁରୋ: ଦୋକନ ବଜାରରେ ଯିଏ ଯେତେ ପାରିଲା ସେତେ ଦର ନେଲା । ଅତ୍ୟାବଶ୍ୟକ ସାମଗ୍ରୀ ଠାରୁ ଆରମ୍ଭ କରି ପନିପରିବା ସବୁଥିରେ ଏବେ ଏଭଳି ଅବସ୍ଥା । ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବ୍ୟବସାୟୀ ମହାସଂଘ । ସରକାରଙ୍କ ଆନ୍ତରିକତା ନ ରହିଲେ ଏମିତି ହିଁ ହେବ ବୋଲି କହିଛି ମହାସଂଘ । ଏପରିକି ସରକାରକୁ ୧୩ ମାସରୁ ଅଧିକ ବିତିଯାଇଥିଲେ ମଧ୍ୟ ନା ଉତ୍ପାଦନ ବଢ଼ିଲା ନା ଚାଷୀ ସାମଗ୍ରୀ ରଖିବାକୁ ଶିତଲଭଣ୍ଡାରଟିଏ ହେଲା । ତେଣୁ ସାଧାରଣ ଲୋକେ ହିଁ ହଇରାଣ ହେବା ସାର ହୋଇଛି ବୋଲି କୁହାଯାଇଛି । ସେପଟେ ଛୋଟ ବ୍ୟବସାୟୀମାନେ ମଧ୍ୟ ସେମାନଙ୍କ ହାତରେ କିଛି ନ ଥିବା କହିଛନ୍ତି ।
ଦର ବୃଦ୍ଧି ଓ ଦରରେ ଅସଂଗତିକୁ ନେଇ ସରକାରଙ୍କୁ ସମ୍ପୂର୍ଣ୍ଣ ଦୋଷ ଦେଇଛି ଓଡିଶା ବ୍ୟବସାୟୀ ମହାସଂଘ। କଞ୍ଚାଲଙ୍କା, କଦଳୀ, ଟମାଟୋଠୁ ଆରମ୍ଭ କରି ଏକାଧିକ ସାମଗ୍ରୀ ପାଇଁ ବାହାର ରାଜ୍ୟ ଉପରେ ଓଡ଼ିଶା ନିର୍ଭରଶୀଳ । ରାଜ୍ୟ ସରକାରଙ୍କ ଉପରେ ଯେଉଁ ଆଶା ଥିଲା ତାହା ହେଲାନି । ଏ ସମ୍ପର୍କରେ ଆଲୋଚନା ପାଇଁ ସରକାର କାହିଁକି ପଛାଉଛନ୍ତି ବୋଲି ପ୍ରଶ୍ନ କରିଛି ବ୍ୟବସାୟୀ ମହାସଂଘ । ଏସବୁ ପ୍ରସଙ୍ଗକୁ ନେଇ ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବ ବ୍ୟବସାୟୀ ମହାସଂଘ । ଦିଲ୍ଲୀରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦିଲ୍ଲୀରେ ଲୋକସଭା ବାଚସ୍ପତି ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବ ବ୍ୟବସାୟୀ ମହାସଂଘ ।
ଏବେ ଟମାଟୋ ଦର ଆକାଶଛୁଆଁ । କେଉଁଠି ଦର କିଲୋ ପିଛା ୬୦ ତ ଆଉ କେଉଁଠି ୧୦୦ ରେ ବିକ୍ରି ହେଉଛି । ବିଶେଷ କରି ଖୁଚୁରା ବଜାରରେ ମନଇଚ୍ଛା ଦର ନିଆଯାଉଛି । ଓଡ଼ିଶାରେ ସାମଗ୍ରୀ ସଂରକ୍ଷଣ ପାଇଁ ବ୍ୟବସ୍ଥା କାହିଁକି ଅଣାଯାଉନାହିଁ ବୋଲି ପ୍ରଶ୍ନ ଉଠିଛି । ଯେଉଁଥି ପାଇଁ ବାହାରୁ ଆସୁଥିବା ସାମଗ୍ରୀକୁ ଯିଏ ଯାହା ସୁବିଧା ଦରରେ ବିକୁଛନ୍ତି । ସରକାର ଚାଷୀଙ୍କ ଉପରେ ଫୋକସ କରୁ ନଥିବା ଅଭିଯୋଗ ହୋଇଛି । କିଛି ଦିନ ଆଳୁ ଓ ପୂର୍ବରୁ ଟମାଟୋ ଯନ୍ତ୍ରଣା ଭୋଗୁଥିବା ଲୋକେ ଏବେ ପୁଣି ଦରଦାମ ନିଆଁରେ ଜଳିବା ଆରମ୍ଭ କରିଛନ୍ତି ।