ଇଣ୍ଡିଆ ଟୁଡେ ପର୍ଯ୍ୟଟନ ସମ୍ମିଳନୀରେ ରାଜ୍ୟକୁ ସଫଳତା, ୩ଟି ବର୍ଗରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ସମ୍ମାନିତ

ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ ପର୍ଯ୍ୟଟନ ସମ୍ମିଳନୀରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ୩ଟି ବର୍ଗରେ ସମ୍ମାନିତ । ପୁରୀ ରଥଯାତ୍ରା ଶ୍ରେଷ୍ଠ ପାର୍ବଣ ସ୍ଥଳ । ଶ୍ରେଷ୍ଠ ବନ୍ୟଜନ୍ତୁ ଭାବେ ଭିତରକନିକା ପୁରସ୍କୃତ ହୋଇଛି । ସେହିପରି କୋଣାର୍କକୁ ମିଳିଲା ଶ୍ରେଷ୍ଠ ଆଇକନିକ ପୁରସ୍କାର । ଏନେଇ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି । ପ୍ରକୃତିର ବିସ୍ମୟ ଭିତରକନିକା । ୬୭୨ ବର୍ଗ କିଲୋମିଟର ବ୍ୟାପ୍ତ ଭିତରକନିକା ଅଭୟାରଣ୍ୟ ଓ ୧୪୫ ବର୍ଗ କିଲୋମିଟର ବିଶିଷ୍ଟ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତା ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିଆସିଛି । ଜୈବ ବିବିଧତା ପାଇଁ ଭିତରକନିକାକୁ ଆନ୍ତର୍ଜାତୀକ ରାମସାର ସାଇଟ ମାନ୍ୟତା ବି ମିଳିଛି ।

ସେହିପରି ଶ୍ରୀଜିଉଙ୍କ ଘୋଷଯାତ୍ରା ତ ବିଶ୍ବପ୍ରସିଦ୍ଧ । ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଚତୁର୍ଦ୍ଧାମୁରତିଙ୍କ ରଥଯାତ୍ରା ସାରା ବିଶ୍ବରେ ନିଆରା । ତେଣୁ ତା’ଠାରୁ ଆଉ ପାର୍ବଣ ସ୍ଥଳ କ’ଣ ବା ହୋଇପାରେ । କୋଣାର୍କର ନିଆରା ନିର୍ମାଣ ସବୁବେଳେ ସମସ୍ତଙ୍କୁ ଚକିତ କରିଛି । ଏଠାରେ ମନ୍ଦିର ତିଆରି ହୋଇଛି । ହେଲେ ଗର୍ଭଗୃହ ନାହିଁ । ଏଠାରେ କୌଣସି ଠାକୁର ପୂଜା ପାଆନ୍ତିନି । ବରଂ ସୂର୍ଯ୍ୟଙ୍କ ପହିଲି କିରଣ ଏହି ମନ୍ଦିର ଉପରେ ପଡ଼ିଲେ ସୂର୍ଯ୍ୟଙ୍କ ପୂଜା ହୁଏ । କୋଣାର୍କ ସୂର୍ଯ୍ୟ ମନ୍ଦିରର ନିଆରା ନିର୍ମାଣକୁ ଆଇକନିକ ସ୍ଥଳ ଭାବେ ବିବେଚନା କରିବା ସହ ସମ୍ମାନ ମିଳିଛି ।